ଆସ୍ଥା ଭୋଟରେ ବିଜୟ ହେଲେ ଉଦ୍ଧବ ଠାକରେ, ୧୬୯ ସଦସ୍ୟ ଦେଲେ ସମର୍ଥନ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶୁକ୍ରବାର ଶପଥ ନେବା ପରେ ଶନିବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାର ମୋଟ ୨୮୮ସଦସ୍ୟଙ୍କ ମଧ୍ୟରୁ ଉଦ୍ଧବ ୧୬୯ସଦସ୍ୟଙ୍କ ସମର୍ଥନ ପାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ଉଦ୍ଧବଙ୍କ ବିପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନା ଭୋଟ ଦେଇ ନଥିଲେ ହେଁ ଭୋଟିଂରୁ ବିରତ ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବହୁମତ ପରୀକ୍ଷଣର ସିଧା ପ୍ରସାରଣ କରାଯାଇଥିଲା। ଏଥିରେ ଗୁପ୍ତ ବାଲଟର ବ୍ୟବହାର ହୋଇ ନଥିଲା। ତେବେ ବିଜେପି ଏହି ବହୁମତ ପରୀକ୍ଷାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା। ବିଜେପି ସଦସ୍ୟମାନେ ଏଥିରେ ଅଂଶଗ୍ରହଣ ନକରି ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।
ବିଧାନସଭାରେ ମୋଟ ୨୮୮ଟି ଆସନ ଥିବାବେଳେ ସେଥିରୁ ଶିବସେନାର ୫୬, ଏନସିପିର ୫୪ ଏବଂ କଂଗ୍ରେସର ୪୪ ସଦସ୍ୟ ରହିଛନ୍ତି। ଏହି ୩ଦଳ ମେଣ୍ଟ କରି ସରକାର ଗଠନ କରିଥିବାରୁ ତିନି ଦଳର ସଦସ୍ୟ ସଂଖ୍ୟା ୧୫୪ ରହିଛନ୍ତି, ଯାହା ଆସ୍ଥା ଭୋଟରେ ବିଜୟ ପାଇଁ ଯଥେଷ୍ଟ। ଏହା ବ୍ୟତୀତ ୧୬୯ ସଦସ୍ୟ ମେଣ୍ଟ ସମର୍ଥନରେ ଭୋଟ ଦେଇଛନ୍ତି। ବିଜେପିର ୧୦୫ ସଦସ୍ୟ ଗୃହ ବାହାରେ ରହିଥିଲେ।