ଚିକିତ୍ସା ସମୟରେ ଛାତ୍ରୀଙ୍କୁ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: ରୋଗୀଙ୍କୁ ସେବା ଯୋଗାଇବା ବଦଳରେ ଡାକ୍ତର ରୋଗୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ଚିକିତ୍ସା ପାଇଁ ଆସିଥିବା ଜଣେ ଛାତ୍ରୀଙ୍କୁ ସେଠାକାର ଡାକ୍ତର ମୁକ୍ତିକାନ୍ତ ବିଶ୍ୱାଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

 

ସୂଚନା ଅନୁସାରେ, କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜ୍ୟୋସ୍ନା ନାୟକ ଗତକାଲି ଦିନ ୨ଟା ସମୟରେ କୌଣସି ଏକ କାରଣରୁ ମୁଣ୍ଡ ବୁଲାଇ ବିଦ୍ୟାଳୟରେ ପଡିଯାଇଥିଲେ। ସେଠାରୁ ଶିକ୍ଷକ ଏବଂ କିଛି ସହପାଠୀମାନେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ସେଠାରେ କାର୍ୟ୍ୟରତ ଡାକ୍ତର ମୁକ୍ତିକାନ୍ତ ବିଶ୍ୱାଳ ପ୍ରଥମେ ସମସ୍ତଙ୍କୁ ବାହାରକୁ ଯିବାକୁ କହିଥିଲେ । ଏହାପରେ ଜ୍ୟୋସ୍ନାଙ୍କ ଆଖି ନାକ ଏବଂ ପାଟିରେ କୌଣସି ଏକ ଔଷଧ ପକାଇଥିଲେ । ଏଥିରେ ଛାତ୍ରୀ ଜଣଙ୍କ ପାଟି କରିବାରୁ ତାଙ୍କ ମୁହଁରେ କପଡ଼ା ପୁରାଇ ଦେଇ ମାଡ଼ମାରିଥିବା ଉକ୍ତ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଜଣେ ଡାକ୍ତରଙ୍କ ଏଭଳି ରୋଗୀ ସେବାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଡାକ୍ତରଙ୍କ ବଦଳି ଦାବି କରାଯାଇଛି ।