ହାଇଦ୍ରାବାଦ,ଏନ୍ଏନ୍ଏସ୍: ଦିଲ୍ଲୀର ନିର୍ଭୟା ପରେ ହାଇଦ୍ରାବାଦରେ ମଧ୍ୟ ଦୁର୍ବୃତ୍ତମାନେ ଏକ ବିଭତ୍ସ କାଣ୍ଡ ଘଟାଇଛନ୍ତି। ତେବେ ମହିଳା ଜଣଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ପୋଡ଼ି ମାରିଦେଇଛନ୍ତି। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିବା ସହ ଏହି ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟକୁ ହସ୍ତାନ୍ତର କରାଯାଇଛି।
ପୁଲିସ ସୂଚନା ଅନୁସାରେ ବୁଧବାର ରାତ୍ରିରେ ଜଣେ ମହିଳା ଡାକ୍ତର କ୍ଲିନିକରୁ ଫେରୁଥିବା ବେଳେ ଏକ ଟୋଲ ପ୍ଲାଜା ନିକଟରେ କେତେକ ଦୁର୍ବୃତ୍ତ ମହିଳାଙ୍କ ସ୍କୁଟି ଚାକା ପମ୍ପଚର କରିଦେଇଥିଲେ। ପରେ ସେମାନେ ଗାଡ଼ି ସଜାଡ଼ିବା ବାହାନାରେ ତାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ସନ୍ଦେହ ହେଉଛି। ଏହି ମାମଲାରେ ଗିରଫ ହୋଇଥିବା ୪ଜଣଙ୍କୁ ପଚରାଉଚୁରା କରାଯିବାରେ ସେମାନେ ଟ୍ରକ ଡ୍ରାଇଭର ଓ ହେଲପର ବୋଲି ଜଣାପଡ଼ିଛି।
ଗଣଦୁଷ୍କମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତର ଜଣକ ହାଇଦ୍ରାବାଦର ସାଦ୍ନଗରରେ ପରିବାର ସହିତ ରହୁଥିଲେ। ସେ କୋଲ୍ଲୁର ସରକାର ପ୍ରାଣୀ ଚିକିତ୍ସାଳୟରେ କାମ କରୁଥିଲେ। ୨୬ ବର୍ଷୀୟା ଡାକ୍ତର ପ୍ରତ୍ୟେକ ଦିନ ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥ ସ୍ଥିତ ତୋଣ୍ଡୁପଲ୍ଲୀ ଟୋଲ୍ ପ୍ଲାଜା ନିକଟରେ ସ୍କୁଟି ପାର୍କ କରୁଥିଲେ ଏବଂ ସେଠାରୁ କ୍ୟାବ୍ରେ କ୍ଲିନିକ୍ ପର୍ୟ୍ୟନ୍ତ ଯାଉଥିଲେ। ବୁଧବାର ହସ୍ପିଟାଲ କାମ ସାରି ସେ ରାତି ପ୍ରାୟ ୯ଟା ବେଳେ ଟୋଲ୍ ପ୍ଲାଜାରେ ପହଞ୍ଚିଥିଲେ ଏବଂ ତାଙ୍କ ସ୍କୁଟି ଟାୟାର ପମ୍ପଚର ହୋଇଥିବା ଦେଖିଥିଲେ। ଏହାପରେ ସେ ତାଙ୍କ ଭଉଣୀଙ୍କୁ ଫୋନ୍ କରି ଟାୟାର ପମ୍ପଚର ହୋଇଥିବା ସମ୍ପର୍କରେ ଖବର ଦେଉଥିଲେ।
କିଛି ସମୟ ପରେ ସେ ପୁଣି ଭଉଣୀଙ୍କୁ ଫୋନ୍ କରି ଜଣେ ବ୍ୟକ୍ତି ଗାଡ଼ି ସଜାଡ଼ିବାକୁ ଅନ୍ୟତ୍ର ନେବାକୁ ହେବ ବୋଲି କହୁଥିବା ଜଣାଇଥିଲେ। ତେବେ ସେଠାରେ କେବଳ କିଛି ଟ୍ରକ୍ ଥିବା ଏବଂ ଡ୍ରାଇଭରମାନେ ଆଡ଼ା ଜମାଇଥିବାରୁ ତାଙ୍କୁ ଡର ଲାଗୁଥିବା କହିଥିଲେ। ଏହି ସମୟରେ ସେ ଭୟଭୀତ ଥିଲେ ବୋଲି ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ଏହାପରେ ଭଉଣୀଙ୍କ ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ରାତି ୯ଟା ୪୪ରେ ଫୋନ୍ ବନ୍ଦ ହୋଇଯାଇଥିଲା। ପରିବାର ଲୋକେ ପ୍ଲାଜା ନିକଟରେ ପହଞ୍ଚି ତାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ଏ ସମ୍ପର୍କରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।