ଆଠଗଡ଼,ଏନ୍ଏନ୍ଏସ୍ : ରାଜ୍ୟ ସରକାରଙ୍କ ଫାଇଭ-ଟି ଯୋଜନାକୁ ଫୁ କରି ଉଡାଇ ଦେଇଛନ୍ତି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଗୁରୁଡିଝାଟିଆ ପୁଲିସ । ଥାନା ଆଗରେ ଥାନା ଅଧିକାରୀଙ୍କ ସହ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କ ଧସ୍ତାଧସ୍ତି ହୋଇଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମହିଳାମାନେ ଥାନା ଅଧିକାରୀଙ୍କୁ ଧସ୍ତାଧସ୍ତି କରୁଥିବା ବେଳେ ପୁଲିସ ଅଧିକାରୀ ଜଣକ ମଧ୍ୟ ମହିଳାଙ୍କୁ ଠେଲି ଦେଉଥିବା ଦେଖିବାକୁ ମିଳିଛି । ଏପରିକି ଗୁରୁଡିଝାଟିଆ ପୁଲିସ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଏକ ଜମିଜମା ମାମଲାକୁ ନେଇ ଗୁରୁବାର ମାଲିଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଗୁରୁଡିଝାଟିଆ ଥାନାରେ ଏତଲା ହୋଇଥିଲା । ଉଭୟ ପକ୍ଷଙ୍କୁ ଶୁକ୍ରବାର ଥାନକୁ ଡାକିଥିଲେ ଥାନା ଅଧିକାରୀ । ଥାନାରେ ବୁଝାସୁଝା ଚାଲିଥିôବା ସମୟରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁ ନଥିବା ଅଭିଯୋଗ ଆଣି ଥାନା ଅଧିକାରୀଙ୍କୁ ଘେରି ଯାଇଥିଲେ ମହିଳାମାନେ । ଏହି ସମୟରେ ପୁଲିସ ଅଧିକାରୀ ଜଣକ ମହିଳାମାନଙ୍କ ସହ ଧସ୍ତାଧସ୍ତି କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଆଉ ମହିଳାଙ୍କ ସହ ଥାନା ବାବୁଙ୍କ ଧସ୍ତାଧସ୍ତି ଘଟଣା ଏବେ ନୂଆ ବିବାଦ ସୃଷ୍ଟି କରିଛି ।