ଓରକେଲ ପୁଲିସ ଦ୍ୱାରା ୪୩ କେଜି ଗଞ୍ଜେଇ ଜବତ, ୪ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ଥାନାକୁ ମିଳିଛି ସଫଳତା। ଗୁରୁବାର ସନ୍ଧ୍ୟାରେ ଓରକେଲ ଥାନା ଏସ୍ଆଇ କୃଷ୍ଣା କୁମାରୀ ପ୍ରଧାନ ବାଲିମେଳା ଛକ ଠାରେ ପାଟ୍ରୋଲିଂ କରୁଥିବା ବେଳେ ୪ଜଣ ବ୍ୟକ୍ତି ଦୁଇଟି ବ୍ୟାଗ ଧରି ଛିଡା ହୋଇଥିବା ଦେଖିଥିଲେ। ପରେ ସନ୍ଦେହରେ ସେମାନଙ୍କୁ ପଚରାଉଚୁରା କରିବା ପାଇଁ ତାଙ୍କ ନିକଟକୁ ଯିବା ବେଳେ ସେମାନେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ପରେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ଏହି ସମୟରେ ସେମାନଙ୍କ ନିକଟରୁ ୨ଟି ବ୍ୟାଗରୁ ୪୩କେଜି ଗଞ୍ଜେଇ ଜବତ କରାଯାଇଛି। ଏ ନେଇ ପୁଲିସ ସେମାନଙ୍କୁ ପଚରାଉଚୁରା କରିବା ପରେ ସେମାନେ ବାହାର ରାଜ୍ୟର ବୋଲି ଜଣାପଡ଼ିଥିଲା। ସେମାନେ ହେଲେ ଶେଖର କୁମାର ଗିରି(୨୯) ଘର ରାଞ୍ଚିର ଲାଵରା, ବିନୋଦ ଗଣେଶ ରେଡ଼୍ଡ଼ି(୩୩) ଘର ପୁନେର ରାମନଗର, ଅନୀଲ ଶର୍ମା(୨୩) ଘର ବାର୍ଷି ସୋଲାପୁର ଓ ଅନ୍ୟ ଜଣେ ଦୁଃଶାସନ ପୂଜାରୀ(୩୧) କୋରାପୁଟର ପାଡୁଆର ବୋଲି ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି।

ସେମାନେ ଏହି ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ନେଉଥିବା କହିଥିଲେ। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୦ହଜାର ହେବ ବୋଲି ଜଣାପଡ଼ିଛି। ଏ ନେଇ କେସ୍ ନଂ-୨୦୨/୧୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦ୍ଦୀଶ ବାରା ସୂଚନା ଦେଇଛନ୍ତି।