ମାଳଦ୍ୱୀପ ଭଳି ଭାରତରେ ହେବ ୱାଟର୍ ଭିଲ୍ଲା, ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତରେ ପର୍ଯ୍ୟଟନକୁ ଆହୁରି ଅଧିକ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଏକ ନୂତନ ସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହା ଅନ୍ତର୍ଗତ ଭାରତୀୟ ଦ୍ୱୀପଗୁଡ଼ିକରେ ୱାଟର୍ ଭିଲ୍ଲା ନିର୍ମାଣ କରିବା ଲାଗି ଯୋଜନା ଚଳାଇଛନ୍ତି। ଏନେଇ ଥିଙ୍କଟ୍ୟାଙ୍କ୍ ନୀତି ଆୟୋଗ ତରଫରୁ ୧୫୦୦ କୋଟି ଟଙ୍କା ବ୍ୟୟର ଏକ ନୂତନ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ମାଳଦ୍ୱୀପ ଭଳି ଭାରତରେ ମଧ୍ୟ ୱାଟର୍ ଭିଲ୍ଲାର ନିର୍ମାଣ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ଯାହାଫଳରେ ସମୁଦ୍ର ମଝିରେ ଭିଲ୍ଲାରେ ରହି ସମୁଦ୍ରର ଦୃଶ୍ୟ ଉପଭୋଗ କରିବା ପାଇଁ ଏଣିକି ମାଳଦ୍ୱୀପ ଯିବାକୁ ପଡ଼ିବ ନାହିଁ। କାରଣ ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମୁଦ୍ର ତଟ ଉପରେ ଏହି ୱାଟର୍ ଭିଲ୍ଲାର ନିର୍ମାଣ କରାଯିବ।

ଭିଲ୍ଲାର ନିର୍ମାଣ ସହିତ ଏଠାରେ ଭିତ୍ତିଭୂମିର ବିକାଶ ମଧ୍ୟ କରାଯିବ। ଏଥିରେ ନୂତନ ବିମାନବନ୍ଦରର ନିର୍ମାଣ, ୱାଟର୍ ଭିଲ୍ଲା ପର୍ଯ୍ୟନ୍ତ ଯିବା ପାଇଁ ସି-ପ୍ଲେନ୍, ହେଲିକପ୍ଟର ସେବାରେ ବୃଦ୍ଧି କରାଯିବ। ଏ ସମସ୍ତ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡ୍ ରେ କରାଯିବ ବୋଲି ଜନୈକ ଅଧିକାରୀ ସୂଚିତ କରିଛନ୍ତି।

ଭାରତକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ କରାଇବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମୋଟ ୫୮୫ଟି ରୁମ୍ ର ନିର୍ମାଣ କରିବା ନେଇ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଏଥିରେ ଲାକ୍ଷାଦ୍ୱୀପର ଭିନ୍ନ ଭିନ୍ନ ଦ୍ୱୀପରେ ୱାଟର୍ ଭିଲ୍ଲା ପାଇଁ ୧୨୫ଟି ରୁମ୍ ନିର୍ମାଣ କରାଯିବ। ସେହିପରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ଦ୍ୱୀପରେ ଲ୍ୟାଣ୍ଡ୍ ଭିଲ୍ଲାର ୪୬୦ଟି ରୁମ୍ ନିର୍ମାଣ କରାଯିବ।

ତେବେ ଏ ସମ୍ପର୍କିତ ବୁଝାମଣା ପାଖାପାଖି ପୂରା ହୋଇସାରିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଏହାସହ ଚଳିତ ଆର୍ଥିକବର୍ଷରେ ଏହି ଭିଲ୍ଲାର ନିର୍ମାଣକାର୍ଯ୍ୟ ପୂରା ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି। ଏହି ପ୍ରକଳ୍ପରେ ୫୦ରୁ ୭୫ ବର୍ଷ ପାଇଁ ନିବେଶ କରାଯିବ, ଯେଉଁଥିରେ ୩୦ରୁ ୪୦% ରିଟର୍ଣ୍ଣ ମିଳିବ ବୋଲି ଅନୁମାନ କରାଯାଉଛି।