୩ ପିଏଲଏଫଆଇ ଗିରଫ : ୨ ପିସ୍ତଲ, ଭୁଜାଲି ଜବତ

ରାଉରକେଲା, ଏନ୍ଏନ୍ଏସ୍ : ଭାଲୁଲତା ସାପ୍ତାହିକ ବଜାରରୁ ୩ ଜଣ ପିଏଲଏଫଆଇ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ସଦସ୍ୟମାନଙ୍କ ଠାରୁ ୨ଟି ପିସ୍ତଲ ସହ ଜୀବନ୍ତ ଗୁଳି ଓ ଭୁଜାଲି ପୁଲିସ ଜବତ କରିଛି। ଏ ନେଇ ବୁଧବାର ରାଉରକେଲା ପୁଲିସ କାର୍ଯ୍ୟାଳୟରେ ପଶ୍ଚିମାଂଚଳ ଡ଼ିଆଇଜି କବିତା ଜଲାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ପିଏଲଏଫଆଇ ସଦସ୍ୟ ହେଉଛନ୍ତି ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମ ଜିଲ୍ଲାର ପୱନ ତାନବାଡ଼ିଂ(୨୪), ଝାଡ଼ଖଣ୍ଡ ପଶ୍ଚିମସିଂଭୂମ ମେଘାହାତବୁରୁ ରାଜେଶ ବିରୁଆ(୪୫), ଝାଡ଼ଖଣ୍ଡ ଖୁଂଟି ଶ୍ୟାମଲିନ ସଏ ମୁରୁମ(୨୨)। ସମସ୍ତେ ଝାଡ଼ଖଣ୍ଡ।

ସୂଚନା ଅନୁଯାୟୀ, ମଙ୍ଗଳବାର ଭାଲୁଲତା ସାପ୍ତାହିକ ବଜାରରେ ୬ ଜଣ ପିଏଲଏଫଆଇ ବିଶ୍ରା ପେଟ୍ରୋଲ ପମ୍ପରେ ଡକାୟତି କରିବା ଯୋଜନା କରୁଥିଲେ। ଗୁପ୍ତ ଆଧାରେ ପୁଲିସ ସେଠାରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରେ ପୁଲିସ ଓ ପିଏଲଏଫଆଇ ଛକାପଂଚାରେ ୩ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର ହୋଇଯାଇଥିଲେ। ଗିରଫ ହୋଇଥିବା ପିଏଲଏଫଆଇ ସଦସ୍ୟଙ୍କ ବିରୁଦ୍ଧରେ ଝାଡ଼ଖଣ୍ଡ ଅଂଚଳର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ବ୍ରିଜ ଓ ଅନ୍ୟ ପ୍ରକଳ୍ପରେ ନିୟୋଜିତ ଠିକାଦାର, ଶିଳ୍ପପତି ମାନଙ୍କୁ ଲେଭି ମାଗିବା, ଡକାୟତି, ହତ୍ୟା ଆଦି ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛନ୍ତି ଉକ୍ତ ସଦସ୍ୟମାନେ । ଫେରାର ସଦସ୍ୟମାନଙ୍କ ବିରୁଦ୍ଧରେ ତଦନ୍ତ ଜାରି ରଖିବ ପୁଳିସ ବୋଲି ପକ୍ଷରୁ କୁହାଯାଇଛି।