ବଳଦେବଜିଉ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୮.୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାପଡା ବଳଦେବଜିଉ ମନ୍ଦିର ଓ ବଡଦାଣ୍ଡର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମଂଗଳବାର ସନ୍ଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫେରେନ୍ସିଂ ଯୋଗେ କେନ୍ଦ୍ରାପଡା ସାଂସଦ, ବିଧାୟକ, ଜିଲ୍ଲାପାଳ ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହିତ ଏ ସମ୍ପର୍କରେ ବିସୃତ ଆଲୋଚନା କରିଥିଲେ।

ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ବଳଦେବଜିଉଙ୍କ ପୀଠ ତୁଳସୀ କ୍ଷେତ୍ରର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ତଦନୁଯାୟୀ କେନ୍ଦ୍ରାପଡା ବଳଦେବଜିଉ ମନ୍ଦିର ଓ ଏହାର ପରିସରକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ବଡଦାଣ୍ଡର ଉନ୍ନତିକରଣ କରାଯାଇ ଏହାର ଦୁଇ ପାଶ୍ୱର୍କୁ ମଧ୍ୟ ସୁଦୃଶ୍ୟ ଆଲୋକମାଳାରେ ସଜ୍ଜିତ କରାଯିବ।

ସେହିପରି ଆଧ୍ୟାତ୍ମିକ ଉଦ୍ୟାନ ନିର୍ମାଣ କରାଯିବ ସହିତ ବଳଦେବଜିଉ ଐତିହ୍ୟ ପୁସ୍କରିଣୀର ମଧ୍ୟ ପୁନରୁଦ୍ଧାର କରାଯିବ। ବଳଦେବଜିଉ ମନ୍ଦିରର କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ। ଏହାସହ ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମୁନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।

ଏହିସବୁ ଉନ୍ନତିକରଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରଖିବା ସହିତ ଆସନ୍ତା ରଥଯାତ୍ରା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଏହି ସବୁ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାବାସୀଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି। ସେବାୟତମାନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା।ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟାମନ୍ତ୍ରୀଙ୍କ ୫-ଟି ସଚିବ ଓ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଗତ ସ୍ନାନ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଳଦେବଜିଉଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସେବାୟତ ଓ ଜନସାଧାରଣ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।