ଧନ୍ୟରେ ପୁଅ! ମୁଥ ମାଡ଼ରେ ବାପର ୪ ଦାନ୍ତ ଭାଙ୍ଗିଦେଲା

ଦେବଗଡ ,ଏନଏନଏସ : ପୁଅକୁ ଜନ୍ମ କରିବା ପରେ ତାର ଭବିଷ୍ୟତକୁ ନେଇ ବାପା ଅନେକ ସ୍ୱପ୍ନ ଦେଖିଥାଏ। ଆଉ ପରିଣତ ବୟସରେ ବାପାର ଆଶାବାଡି ପାଲଟିଥାଏ ପୁଅ। କିନ୍ତୁ ବାପା ଉପରେ ପୁଅର ଅମାନୁଷିକ ଅତ୍ୟାଚାର ଆପଣଙ୍କୁ ଚକିତ କରିବ ନିଶ୍ଚୟ।ପୈତୃକ ସମ୍ପତିକୁ କେନ୍ଦ୍ରକରି ଜଣେ ପୁଅର ମୁଥ ମାଡରେ ବାପାର ୪ଟି ଦାନ୍ତ ଭାଙ୍ଗିଯିବା ଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ନୀଳବେର୍ଣ୍ଣୀ ସାହିରେ। ଏହି ଘଟଣାରେ ବାପାର ଅଭିଯୋଗ ଆଧାରରେ ଅଭିଯୁକ୍ତ ପୁଅକୁ ଦେବଗଡ ଥାନା ପୁଲିସ ଆଜି କୋର୍ଟଚାଳାଣ କରିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୀଳବେର୍ଣ୍ଣୀ ସାହିର ରଥି ପାତ୍ରଙ୍କ ପୁଅ ପୁଲସ୍ତି ପାତ୍ର(୨୬) ପ୍ରେମବିବାହ କରି ଅନ୍ୟତ୍ର ରହୁଥିବାବେଳେ ପୈତୃକ ସମ୍ପତି ଭାଗକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇଆସୁଥିଲା। ଏହି କ୍ରମରେ ଗତକାଲି ପୁଣି ଥରେ ଉଭୟ ବାପ ପୁଅଙ୍କ ମଧ୍ୟରେ ସମ୍ପତି ଭାଗ ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଲସ୍ତି ଘରେ ଥିବା ଦୋକାନ ଓ ଘରର ଜିନିଷପତ୍ର ଫୋପାଡି ଦେବାସହ ନିଜ ବାପ ରଥିକୁ ଶକ୍ତ ମୁଥ ମାଡ କରିଥିଲା। ଫଳରେ ରଥିର ୪ଟି ଦାନ୍ତ ଭାଙ୍ଗି ତଳେ ପଡିଯିବା ସହ ସେ ଗୁରୁତର ଆହତ ହୋଇଥିଲେ।

ଏ ନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୁଲିସ ବିଭିନ୍ନ ଦଫାରେ ମାମଲା ଋୁଜ୍ଜୁ କରିବା ସହ ଅଭିଯୁକ୍ତ ପୁଲସ୍ତିକୁ ଗିରଫ କରିଥିଲା।