ଦୁନିଆ ଦେଖିବା ଲାଗି ଶୈଶବରେ ସଂଘର୍ଷ

ଋାୟଗଡା,ଏନ୍ଏନ୍ଏସ୍: ଅଭିଶପ୍ତ ଜୀବନ ପାଲଟିଛି ମିତାଲିର ଶୈଶବ। ଆଖିଥାଇ ମଧ୍ୟ ତାପାଇଁ ସାରା ଦୁନିଆ ଅନ୍ଧାର । ଦୁଇ ଆଖିରେ ଦୁନିଆ ଦେଖି ହସି ଖେଳି ବୁଲିଇବା ବୟସରଙ୍କ ଜୀବନ ସହ ସଂଗ୍ରାମ କରିବାକୁ ପଡ଼ୁଛି ମିତାଲିକୁ । ଚିକିତ୍ସା ପରେ ଚିକିତ୍ସା ହେଉଛି ହେଲେ ଫଳ ଶୁନ। ଅର୍ଥ ଅଭାବରୁ ଯାଇପାରୁନି ବଡ଼ ହସପିଟାଲକୁ । ଫଳରେ ଦିନକୁ ଦିନ ବିଗିଡିବାକୁ ଲାଗିଛି ଦୃଷ୍ଟି ଶକ୍ତି। ଶେଷରେ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ମିତାଲି ପାତ୍ରଙ୍କ ବାପା ଓ ମା।

ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଗ୍ରାମପଚାଂୟତ ଅନ୍ତର୍ଗତ କୁଦଲିମା ଗ୍ରମାରେ ରହନ୍ତି ନିରଞ୍ଜନ ପାତ୍ର ଓ କୁମାରୀ ପାତ୍ରଙ୍କ ଏକମାତ୍ର ୮ ବର୍ଷର ଝିଅ ମିତାଲି ପାତ୍ର। ମିତାଲି ନିକଟସ୍ଥ କେଉଁଝରି ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼େ । ପାଠ ପଢିବା ସମୟରେ ଆଖିରେ ଯନ୍ତ୍ରଣା ସହ ଅତ୍ୟଧିକ ଲୁହ ବୋହିବାରୁ ବାପା ନିରଞ୍ଜନ ଜିଲ୍ଲା ଚିକିତ୍ସାଳୟକୁ ଆଣି ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥିଲେ। ଏଥିରେ ଭଲ ହୋଇନଥିବାରୁ ସହର ଉପଖଣ୍ଡ ପିତାମହଲଠାରେ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା କରିଥିଲେ। ସେଠାରେ ମଧ୍ୟ କିଛି ସୁଫଳ ନମିଳିବାରୁ ଭୁବନେଶ୍ୱରରେ ଥିବା ଘରୋଇ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥିଲେ।

ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ମିତାଲିଙ୍କ ବାପା ନିରଞ୍ଜନ ୨୦୧୭ ମସିହାରେ ନିଜର ବୋଲି ଥିବା ଜମିଖଣ୍ଡକ ବିକି ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ମିତାଲିଙ୍କ ଅସ୍ତ୍ରୋପଚାର କରାଇଥିଲେ। ଏଥିରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ ବରଂ ମିତାଲିଙ୍କ ଆଖି ଡୋଳା ଅଧିକ ଗୁରୁତର ହେବାସହ ବାହାରକୁ ବାହାରିଯାଇଥିଲା। ଶେଷରେ ଅର୍ଥଭାବ ନିରଞ୍ଜନ ଝିଅକୁ ଦୁନିଆ ଦେଖାଇବା ଲାଗି ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ଶେଷରେ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ମିତାଲିଙ୍କ ପାଇଁ ଚିକିତ୍ସା ସକାଶେ ଆଶାର କିରଣ। ରାଜ୍ୟ ସରକାରଙ୍କ ସମାଜ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡା ଜିଲ୍ଲା ପ୍ରଶାସନକୁ ୧୬.୧୦.୧୯ ତାରିଖ ଦିନ ଜାରି କରିଥିବା ଚିଠି ନମ୍ବର ୮୮୩୧ରେ ମିତାଲିଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେବା ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ ମିତାଲିଙ୍କ ପରିବାରଙ୍କୁ ଡ଼ାକି ଚିକିତ୍ସା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି । ଫଳରେ ଟିକିଏ ଆଶ୍ୱସ୍ଥ ହୋଇଛନ୍ତି ମିତାଲିଙ୍କ ପରିବାର। ସରକାରୀ ସ୍ତରରେ ସହାୟତା କେବେ ମିତାଲିକୁ ନୂଆ ଜୀବନ ଦେଉଛି, ତାହା ଦେଖିବାକୁ ବାକି ରହିଲା।