ମାଲକାନଗିରି , ଏନ୍ଏନ୍ଏସ୍ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ସ୍ୱାଭିମାନ ଅଂଚଳର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଗୁରୁପ୍ରିୟା ସେତୁ ନିକଟରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ସେ ଗୁରୁପ୍ରିୟା ସେତୁ ପରିଦର୍ଶନ କରିବା ପରେ ସ୍ୱାଭିମାନ ଅଂଚଳର ବଡ଼ପଡ଼ା କନ୍ୟାଶ୍ରମ ପରିଦର୍ଶନ କରି ସେଠାକାର ଛାତ୍ରୀଙ୍କ ସହ ଭାବ ବିନିମୟ କରି ଛାତ୍ରବାସରେ ମିଳୁଥିବା ସୁବିଧା ସୁଯୋଗ ଉପରେ ପଚାରି ବୁଝିଥିଲେ। ଏଥିସହ ଆଶ୍ରମର ପାରିପାଶ୍ୱର୍ିକ ସ୍ଥିତି ଓ ପାଠପଢ଼ା ନେଇ ଆଲୋଚନା କରିଥିଲେ ।
ଏହି ସମୟରେ ଛାତ୍ରୀଙ୍କୁ ମନ୍ତ୍ରୀଙ୍କ ପରିଚୟ ଜାଣିବା ପାଇଁ ପ୍ରଶ୍ନ ପଚାରିବାରୁ କେହି ମନ୍ତ୍ରୀଙ୍କ ପରିଚୟ ଦେଇପାରିନଥିଲେ । ଏହାପରେ ମୂଖ୍ୟମନ୍ତ୍ରୀଙ୍କ ନାମ ପଚାରିବାରୁ ଏହାର ଉତର ମଧ୍ୟ ଛାତ୍ରୀମାନେ ଦେଇପାରି ନଥିବାରୁ ମନ୍ତ୍ରୀ ଶ୍ରୀ ଦାସ ଅସନ୍ତୋଷ ପ୍ରକାଶ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । ପରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ଶିକ୍ଷାର ବିକାଶ ହେଲେ ଏହି ଅଂଚଳର ବିକାଶ ସମ୍ଭବ। ତେଣୁ ଛାତ୍ରଛାତ୍ରୀମାନେ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ ।
