ବାଲିଗୁଡ଼ା,ଏନ୍ଏନ୍ଏସ୍: ବକେୟା ଚାଉଳ ମିଳିନଥିବାରୁ ପ୍ରଶାସନ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇ ମହିଳାମାନେ ନାରାବାଜି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ଗତ ଏପ୍ରିଲ, ମେ’ ଓ ଜୁନ ମାସର ବକେୟା ଚାଉଳ ପଞ୍ଚାୟତର ସମୁଦାୟ ୯ ଶହରୁ ଅଧିକ ହିତାଧିକାରୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହୋଇଛି । ସେଥିପାଇଁ ପଞ୍ଚାୟତର ଶତାଧିକ ମହିଳା ହାତରେ ରାସନ କାର୍ଡ ଧରି ରାଲି କରିବା ସହ ପଞ୍ଚାୟତ ଅଫିସ ଘେରାଉ କରି ପ୍ରତିବାଦ ଜଣାଇଥିଲେ । ଦୀର୍ଘ ଦିନ ଧରି ବକେୟା ଚାଉଳ ମିଳିନଥିବା କାରଣରୁ ଗରିବ ପରିବାର ଲୋକେ ଭୋକ ଉପାସରେ ରହୁଥିବା ମହିଳାମାନେ କହିଛନ୍ତି । ସରକାର ସେମାନଙ୍କ ଲାଗି ଚାଉଳ ପଠାଉଥିବାବେଳେ ସେହି ଚାଉଳ କୁଆଡ଼େ ଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବକେୟା ଚାଉଳ ପାଇବା ଲାଗି ମହିଳାମାନେ ବାରମ୍ବାର ପଞ୍ଚାୟତକୁ ଆସୁଥିଲେ ମଧ୍ୟ ସେମାନଙ୍କ ଅଭିଯୋଗ କେହି ଶୁଣୁନଥିବା କହିଛନ୍ତି । ଅନ୍ୟପଟେ ମେସିନରେ ଭୁଲ ଏଣ୍ଟ୍ରି ଯୋଗୁ ୩ ମାସର ବକେୟା ଚାଉଳ ହିତାଧିକାରୀଙ୍କୁ ଦିଆଯାଇ ପାରିନାହିଁ ବୋଲି ପଞ୍ଚାୟତର ଯୋଗାଣ ସହାୟକ ସ୍ୱୀକାର କରିଛନ୍ତି । ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅବଗତ ଥିବାରୁ ବକେୟା ଚାଉଳ ଆସିଲେ ତୁରନ୍ତ ପଞ୍ଚାୟତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।