କନ୍ଧମାଳ, ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ଥାନା ଅଞ୍ଚଳରୁ ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି । ଏହାସହ ଏକ ଷ୍ଟିଲ ଟିଫିନ, ତାର, ବ୍ୟାଟେରୀ, ସେଲୋଟେପ୍ ଓ କିଛି ଜିଲେଟିନ ଜବତ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟ ଟିକରାପଦରରେ ବିଏସଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା । ଏତିକି ବେଳେ ଏକ ଗଛ ନିକଟରେ ଟିଫିନ ବୋମା ସାମଗ୍ରୀ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଟିଫିନ ବୋମା ପ୍ରସ୍ତୁତି ଚାଲିଥିବାବେଳେ ସୁରକ୍ଷା ବାହିନୀ ପହଞ୍ଚିଯିବାରୁ ପ୍ରସ୍ତୁତକାରୀ ଜିନିଷ ଛାଡ଼ି ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି ।
କାଶଥାଉ କି, କିଆମୁଣ୍ଡା ଅଞ୍ଚଳରେ ଗତ କିଛି ଦିନ ତଳେ ମାଇନ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ । ଗୋଚ୍ଛାପଡ଼ା ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟକ ମାଓ ଲିଫଲେଟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣା ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଓ ଗତିବିଧିକୁ ପ୍ରମାଣିତ କରୁଛି । ସୁରକ୍ଷା ବାହିନୀ ପକ୍ଷରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି ।