ଦେବଗଡ଼,ଏନ୍ଏନ୍ଏସ୍: କ୍ୟାଡର ପୁର୍ନବିନ୍ୟାସରେ ଅହେତୁକ ବିଳମ୍ବ ପ୍ରତିବାଦରେ ଓଡ଼ିଶା କୃଷି ସେବାସଂଘ, ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଂଘ ଓ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସେବା ସଂଘ ପକ୍ଷରୁ ମିଳିତ ଭାବେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିଛନ୍ତି । ଏହାସହ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ସଂଘର ପଦାଧିକାରୀ ଯୋଗଦେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ୬୦କୋଟି ବଜେଟରୁ ୬ ହଜାର କୋଟି ଟଙ୍କା ବଜେଟରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟକାରୀ ଉଦ୍ୟାନ କୃଷି ଏବଂ କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା କରାଯାଉଥିବାବେଳେ ବିଭାଗରେ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା ପଦବୀ ପୂରଣ ଓ ଅଧିକାରୀଙ୍କ କ୍ୟାଡର ପୁର୍ନବିନ୍ୟାସ ପାଇଁ ସରକାର ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଆନ୍ଦୋଳନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ, ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଜଗଦୀଶ ଚନ୍ଦ୍ର ମଣ୍ଡଳ ଓ ସହକାରୀ କୃଷି ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ସଦସ୍ୟା ସାମିଲ ହୋଇଥିବା ଜଣାପଡ଼ିଛି।