ଦେବଗଡ଼ରେ ୪ଟି ଜଳ ପ୍ରପାତ ଓ ଗୋଟିଏ ଡ୍ୟାମର ଉନ୍ନତିକରଣ ପାଇଁ ସାଢ଼େ ୩ କୋଟିର ଅର୍ଥ ମଞ୍ଜୁର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପ୍ରପାତ ନଗରୀ ଭାବେ ପରିଚିତ ଶିଳ୍ପବିହୀନ ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶର ନୂଆଁ ଅଧ୍ୟାୟ ଯୋଡ଼ା ହେବ । ରାଜ୍ୟ ବିକାଶର ବିନ୍ଧାଣି ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତ ଜୁଲାଇ ୧୬ ଓ ୧୭ ତାରିଖ ୨ ଦିନିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତର ମାସକ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦେବଗଡ଼ ପୌରାଞ୍ଚଳର ପ୍ରଧାନପାଟ ଜଳପ୍ରପାତ, ସମଗ୍ର ଏସିଆ ମହାଦେଶରେ ପ୍ରଥମ ଜଳ ବିଦ୍ୟୁତ ଉତ୍ପାଦନ କରାଯଇଥିବା କୁରଡ଼କୋଟ ଜଳପ୍ରପାତ, ତିଳେଇବଣି ବ୍ଲକ ଅନ୍ତର୍ଗତ ଦେଓଝରଣ ଜଳପ୍ରପାତ, ଗୋହିରା ଡ୍ୟାମ ଏବଂ ରିଆମାଳ ବ୍ଲକ ଅନ୍ତର୍ଗତ ଭାଇଭଉଣୀ ପ୍ରପାତର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାପଡ଼ିଛି । ଦେବଗଡ଼ ଜିଲ୍ଲା ମାନ୍ୟତା ପାଇବାର ୨୯ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆଖିଦୃଶିଆ ବିକାଶ ହୋଇ ପାରିନଥିବା ବେଳେ ୫ଟି ସଚିବଙ୍କ ଦେବଗଡ଼ ଜିଲ୍ଲାର ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ ପରେ ଆଜି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବାସ୍ତବିକ ବିକାଶର ନୂଆ ଫର୍ଦ ଲେଖା ହୋଇପାରିଛି । ପ୍ରଧାନପାଟ ଜଳପ୍ରପାତର ଉନ୍ନତିକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୯୧ ଲକ୍ଷ ୫୩ ହଜାର ଟଙ୍କା, କୁରଡ଼କୋଟ ଜଳପ୍ରପାତ ପାଇଁ ୭୪ ଲକ୍ଷ ୯୨ହାଜର ଟଙ୍କା, ଦେଓ ଝରଣ ଜଳପ୍ରପାତ ପାଇଁ ୭୬ ଲକ୍ଷ ୫୬ହଜାର ଟଙ୍କା, ଗୋହିରା ଡ୍ୟାମ ପାଇଁ ୬୧ଲକ୍ଷ ୯୬ ହଜାର ଟଙ୍କା ଓ ଭାଇ ଭଉଣୀ ପ୍ରପାତ ପାଇଁ ୨୯ ଲକ୍ଷ ୮୨ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରୋଷ ଶାଳା, ପିଣ୍ଡି, ପ୍ରତୀକ୍ଷାଳୟ, ପାର୍କିଂ, ଆଲୋକୀକରଣ, ପାନୀୟ ଜଳ ଓ ପାର୍କ ଆଦି ନିର୍ମାଣ କରାଯାଇ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯିବା ଲକ୍ଷ୍ୟ ରହିଛି । ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହର ମାରିଥିବାରୁ ଜିଲ୍ଲାର ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କଠାରୁ ସାଧାରଣ ଜନତା ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି. କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।