୫ ଲକ୍ଷ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ, ୪ ମାଫିଆ ଗିରଫ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ପୁଲିସର ଗଞ୍ଜେଇ ଦମନ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ଯାଇଛି । ପୁଲିସ ଜାଲରେ ୪ ଗଞ୍ଜେଇ ଚୋରା ଚାଲାଣକାରୀ ମାଫିଆ ଧରା ପଡ଼ିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରିତମ ମହାନନ୍ଦିଆ(୨୪), ବୈକୁଣ୍ଠ ସୁନା(୨୮), ପ୍ରଶାନ୍ତ ବଡ଼ମାଝୀ(୨୦), ଅରୁଣ ମୂଦ୍ରିକା(୨୧) ।

ମିଳିଥିବା ରିପୋର୍ଟ ମୁତାବକ, ମୁନିଗୁଡ଼ା ଥାନା ଏସଆଇ ଚକ୍ରଧର ବେହେରା, ପୁଲିସ ଫୋର୍ସ ଧନପତି କୁମ୍ବରିକା, ବଳରାମ ବାଲିକା ଓ ସନ୍ତୋଷ ଶବର ପେଟ୍ରୋଲିଙ୍ଗ କରୁଥିବା ସମୟରେ ରେଲୱେ ଅଟୋଷ୍ଟାଣ୍ଡ ନିକଟରେ ୪ଜଣ ସନ୍ଦିଗ୍ଧ ଯୁବକ ୬ଟା ବ୍ୟାଗ ଧରି ଏପଟ ସେପଟ ହେଉଥିବା ଦେଖି ସେମାନଙ୍କ ସନ୍ଦେହ ହୋଇଥିଲା । ଫଳରେ ପୁଲିସବାହିନୀ ସେହି ୪ଜଣଙ୍କୁ ବଡ଼ ସତର୍କତାର ସହିତ କାବୁ କରିବା ସହିତ ସେମାନଙ୍କୁ ଥାନାକୁ ଆଣିଥିଲେ । ସେମାନଙ୍କ ବ୍ୟାଗ ସର୍ଚ୍ଚ ପରେ ସେଥିରୁ ୫୫କେଜି ୪୪୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ପରେ ପୁଲିସ ସେମାନଙ୍କ ନିକଟରୁ ୩ଟା ମୋବାଇଲ ଓ ୨,୦୯୦ଟଙ୍କା ଜବତ କରିଥିଲା । ସେମାନେ ଏହି ଗଞ୍ଜେଇ ସବୁ ଚନ୍ଦ୍ରପୁର ଅଞ୍ଚଳରୁ ରାୟପୁରକୁ ଟ୍ରେନ ଯୋଗେ ନେବା ପାଇଁ ମୁନିଗୁଡ଼ା ରେଲୱେ ଷ୍ଟେସନ ଯାଉଥିବା ସ୍ୱୀକାର କରିଥିବା ଆଇଆଇସି ସୌଦାମିନୀ ବେହେରା ଗଣମାଧ୍ୟମକୁ ଜଣାଇଥିଲେ । ଅପରାହ୍ନରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିଲା । ଏଥିସହିତ ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।