ଫିରିଙ୍ଗିଆ, ଫୁଲବାଣୀ,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ରାତି ଜଗୁଆଳି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ରାତି ଜଗୁଆଳି ଭାବେ କାର୍ଯ୍ୟରତ ଅଜୟ କୁମାର ମଲ୍ଲିକଙ୍କୁ ଭିଜିଲାନ୍ସ କାବୁ କରିବାରେ ସଫଳ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ସମ୍ପୃକ୍ତ ରାତି ଜଗୁଆଳି ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଳାବୃଡ଼ି ପଞ୍ଚାୟତ ଅଧୀନରେ ଥିବା ଆପାବିରୁ ଗାଁର ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ମିଉଟେସନ ଓ ପଟ୍ଟା କରିବା ନାଁରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଅନ୍ୟପଟେ ଅଜୟଙ୍କ ନାଁରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଥିବା ବେଳେ ଆପାବୀରୁ ଗାଁର ଏହି ବ୍ୟକ୍ତିଙ୍କ ପାଖରୁ ପଟ୍ଟା କରିଦେବା ନାଁରେ ଆଗରୁ ମଧ୍ୟ ୩୫ ହଜାର ଟଙ୍କା ନେଇଥିଲେ । ପରେ ଆଉ ୮ ହଜାର ଟଙ୍କା ଦେବା ନେଇ ମଧ୍ୟ କହିଥିଲେ । ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଜୟଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇ ଥିଲା ଓ ପୂର୍ବ ପ୍ରସ୍ତୁତି କ୍ରମେ ସମୃକ୍ତ ବ୍ୟକ୍ତି ଜଣକ ରାତ୍ର ଜଗୁଆଳିଙ୍କୁ ତହସିଲ କାର୍ଯ୍ୟାଳୟ ବାହାରେ ବକେୟା ୮ ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ତେବେ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ଓ ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବାବେଳେ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ ।