ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି-ଇନ୍ଦ୍ରାବତୀ ରାସ୍ତାର ଚରାମୂଳା ଛକ ନିକଟରେ ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଡି ଶଙ୍କର ରାଓ । ଗତକାଲି ଡି ଶଙ୍କର ରାଓ କୌଣସି କାର୍ଯ୍ୟରେ ଚରାମୂଳା ଗ୍ରାମକୁ ଯାଇଥିଲେ । ମିଳିଥିବା ରିପୋର୍ଟ ମୁତାବକ, ରାତି ପ୍ରାୟ ୮ଟାରେ ଶଙ୍କର କାମ ସାରି ନିଜ ଟିଭିଏସ ଏକ୍ସଏଲ ମୁଫେଡରେ ନିଜ ଗ୍ରାମ ଇଚ୍ଛାପୁର ଅଭିମୁଖେ ଫେରୁଥିଲେ । ଏହି ସମୟରେ ଏକ ବୋଲେରୋ ଶଙ୍କରଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଶଙ୍କର ନିଜ ମୁଫେଡ ସହ ରାସ୍ତାରେ ପଡ଼ି ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ତେବେ ଧକ୍କା ହେବା ପରେ ବୋଲେରୋ ଡ୍ରାଇଭର ଗାଡ଼ିକୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଅନ୍ୟପଟେ ଫେରାର ଥିବା ବୋଲେରୋ ଡ୍ରାଇଭରଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀରେ ପରିବାର ଓ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଦାବୀ ପୂରଣ ନହେବା ଯାଏଁ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ଏସଡିପିଓ ଆଦିତ୍ୟ ସେନ ଓ ତେନ୍ତୁଳିଖୁଣ୍ଟି ଥାନାଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ରାସ୍ତାରୋକ ଫଳରେ ଇନ୍ଦ୍ରାବତୀ ସହରକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।