ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଜାଣିନି ଶୁଭଦର୍ଶୀନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ମାଧବୀ କନ୍ଧପାଣି, ଚନ୍ଦ୍ରପୁର ଜିଲ୍ଲା ପରିଷଦ ସଭ୍ୟ ସୁଜିତ୍ ବ୍ରେକବେଡ଼ା, ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା କୋଇନି କୁମ୍ବ୍ରିକା ଓ ମୁନିଗୁଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସନ୍ତୋଷ ସୁନା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ସାରକା ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ଦ୍ୱାରା ହେଉଥିବା ଶ୍ରମିକଙ୍କ ସର୍ବାଙ୍ଗୀନ ଉପକାର ଉପରେ ମନ୍ତବ୍ୟ ଦେବାସହ ରାଜ୍ୟର ପ୍ରଗତିରେ ନିର୍ମାଣ ଶ୍ରମିକଙ୍କ ଯୋଗଦାନ ଅତୁଳନୀୟ ବୋଲି କହି ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଯସ୍ମିନ ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ପଞ୍ଜୀକୃତ ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ତାଲିକା ଉପସ୍ଥାପନ କରିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ସୂଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୧ଜଣ ପଞ୍ଜିକୃତ ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ଜନିତ ସହାୟତା ରାଶି ସ୍ୱରୂପ ୧ଲକ୍ଷ ୫୩ ହଜାର ଟଙ୍କା, ୮୨ଜଣ ପଞ୍ଜିକୃତ ହିତାଧିକାରୀଙ୍କ ସନ୍ତାନ ସନ୍ତତିଙ୍କ ଶିକ୍ଷା ନିମନ୍ତେ ୩ଲକ୍ଷ ୬୦ହଜାର ଟଙ୍କା, ୪୩ ଜଣ ପଞ୍ଜିକୃତ ହିତାଧିକାରୀଙ୍କ କନ୍ୟା ସନ୍ତାନଙ୍କ ବିବାହ ସହାୟତା ନିମନ୍ତେ ୨୧ଲକ୍ଷ ୫୦ ହଜାର ଟଙ୍କା ଓ ୭ଜଣ ପଞ୍ଜିକୃତ ମହିଳା ଶ୍ରମିକଙ୍କୁ ପ୍ରସୂତୀକାଳୀନ ସହାୟତା ୭୦ ହଜାର ଟଙ୍କା ଦିଆଯାଇଥିଲା । ଏହାସହ ସର୍ବମୋଟ ୨୮୫ଜଣ ହିତାଧିକାରୀଙ୍କୁ ସର୍ବମୋଟ ୧ କୋଟି ୮୨ଲକ୍ଷ ୬୦ହଜାର ଟଙ୍କାର ଚେକ ମନ୍ତ୍ରୀ ଶ୍ରୀ ସାରକା ଓ ଅନ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁନିଗୁଡ଼ା ବ୍ଲକର ଅଧିକାଂଶ ଲୋକ ପ୍ରତନିଧି, ଶ୍ରମିକ ୟୁନିଅନର ନେତା ଓ ରାଜନେତାଗଣ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ ରଇତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।