ରାୟଗଡ଼ା,ଏନ୍ଏନ୍ଏସ୍: ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଛିନ୍ନ ହୋଇଛି । ଗତକାଲି ରାତି ୧ଟା ୩୦ରୁ ଆନ୍ଧ୍ର-ଓଡ଼ିଶା ଭାରିଯାନ ଚଳାଚଳ ଠପ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବିଶାଖାପାଟଣାରୁ ଝାରସୁଗୁଡ଼ାକୁ ଚୂନ ପଥର ବୋଝେଇ ଟ୍ରକ ଯାଉଥିବାବେଳେ ରାୟଗଡ଼ା ମଝିଘରିଆଣି ମନ୍ଦିର ନିକଟ ରେଳ ବିଭାଗ ପୋଲ ତଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ଯାଇଥିଲା । ଫଳରେ ଉଭୟ ପାର୍ଶ୍ୱରେ ସହସ୍ରାଧିକ ଗାଡ଼ି ଅଟକି ରହିଛି । ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ଆସୁଥିବା ମାଲବାହୀ ଟ୍ରକର କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ଉକ୍ତ ଟ୍ରକ ମରାମତି କାର୍ଯ୍ୟ ଚାଲିଥିବାବେଳେ ରାୟଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛୋଟ ଜାନ ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବା ଅନୁମାନ କରି ନିୟନ୍ତ୍ରଣ କରୁଛି ।
ସୂଚନାଯୋଗ୍ୟ, ଗତ ୧୦ ବର୍ଷ ପୂର୍ବରୁ ଓଡ଼ିଶା ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଏହି ଏକମାତ୍ର ବ୍ରିଜ ଉଭୟ ପାର୍ଶ୍ୱରେ ବିପଦପୂର୍ଣ୍ଣ ଫଳକ ଲଗାଇ ପ୍ରଶାସନ ହାତ ବାନ୍ଧି ବସି ରହିଛି । ବାରମ୍ବାର ଏଭଳି ଅଘଟଣ ଘଟି ଅନେକ ସମୟରେ ଏହି ରାସ୍ତାରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲେ ସୁଦ୍ଧା ଏଦିଗରେ କେହି ଦୃଷ୍ଟି ଦେଉନାହାଁନ୍ତି । ଏପରିକି ୨୦୧୭ ମସିହାରୁ ପିତାମହଲ ଦେଇ ସିରିକଣା ବାଇପାସ୍ କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି । କେବଳ ସେତିକି ନୁହେଁ, ମଝିଘରିଆଣୀ ମନ୍ଦିର ନିକଟରେ ନିର୍ମାଣାଧୀନ ବ୍ରିଜ ଆପ୍ରୋଚ ରୋଡ଼ ଅଭାବରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏହି ରାସ୍ତାରେ ଯଦି ସମୟ ପୂର୍ବରୁ ବାଇପାସ୍ ରାସ୍ତା ସାଙ୍ଗକୁ ନୂତନ ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ନହୁଏ ତେବେ ବ୍ରିଟିଶ ଅମଳର ଏହି ବ୍ରିଜ ଯେ ଝଞ୍ଜାବତୀ ନଦୀ ଗର୍ଭକୁ ଗଳି ପଡ଼ିବ ସେଥିରେ ସନ୍ଦେହ ନାହିଁ ।