ଭାରସାମ୍ୟ ହରାଇ ବସକୁ ପିଟିଲା ବାଇକ, ୨ ଗୁରୁତର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ଗୋପାଳପୁରଠାରୁ ରାୟପୁର ୫୯ ନଂ.ଜାତୀୟ ରାଜପଥ ଦେଇ ଯାଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଦୁଲି ପଦର ଘାଟିରେ ଏକ ବାଇକ ଭାରସାମ୍ୟ ହରାଇ ଗୋଟିଏ ସରକାରୀ ବସକୁ ବାଡ଼େଇ ହେବାରୁ ୨ଜଣ ଗୁରୁତର ହୋଇ ତୁମୁଡ଼ିବନ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଦ୍ୱୟ ହେଲେ କୋଟଗଡ଼ ଥାନା ଅଞ୍ଚଳର ଆନ୍ଦ୍ରିୟ ପାଟମାଝୀ ଓ ସୁବ୍ରତ ମଲ୍ଲିକ । ମିଳିଥିବା ରିପୋର୍ଟ ମୁତାବକ, ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରେ ବେଲଘରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ସରକାରୀ ବସକୁ ବାଲିଗୁଡ଼ାରୁ କୋଟଗଡ଼ ଅଭିମୁଖେ ଯାଉଥିବା ଏକ ବାଇକ ମୁହାଁମୁହିଁ ହୋଇ ବାଡ଼େଇ ହେବାରୁ ବାଇକରେ ଥିବା ୨ଜଣ ଗୁରୁତର ଆହତ ହୋଇଥିଲେ । ନିକଟରେ ଥିବା ସମାଜସେବୀ ଅରୁଣ ନାୟକଙ୍କ ସମେତ କିଛି ବଦାନ୍ୟ ବ୍ୟକ୍ତି ତୁରନ୍ତ ସେମାନଙ୍କୁ ତୁମଡ଼ିବନ୍ଧ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୁଲିସ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାପଡ଼ିଛି।