ସାପ ଉପରେ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ଦ୍ୱାରା ସାପ କାମୁଡ଼ାରୁ ରକ୍ଷା ତଥା ତା’ର ପ୍ରତିକାର ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସନ୍ତୋଷ ପ୍ରଧାନଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଓ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଯଦି କାହାକୁ ସାପ କାମୁଡ଼େ କିମ୍ବା ନିଜ ଘର ପ୍ରାଙ୍ଗଣରେ ସାପ ଦେଖିଲେ ଭୟଭୀତ ନହୋଇ କେମିତି ତା’ର ପ୍ରତିକାର କରାଯାଇପାରିବ, ସାପଙ୍କ ପ୍ରଜାତି ଓ କେଉଁ ସାପର ପ୍ରଭାବ କେମିତି ଏସବୁ ବିଷୟରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଅତି ସୁନ୍ଦର ଭାବରେ ବୁଝାଇଥିଲେ । ଏଥିସହିତ ଯଦି କୌଣସି ଲୋକଙ୍କ ଘରେ ତଥା ପ୍ରାଙ୍ଗଣରେ ସାପ ପଶିଆସେ ଭୟଭୀତ ନ ହୋଇ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଟିମ୍ ସଦସ୍ୟ ଭି.ଜଗନ୍ନାଥ ରାଜୁ, ଅନୁପ ବିକ୍ରମ ପାତ୍ର, ଏସକେ ଅବଦୁଲ ସାକୀର, ରବୀନ୍ଦ୍ର ମହାରଣା ଓ ଶିବ ପ୍ରସାଦ ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।