କନ୍ଧମାଳ,ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ମୂର୍ଜା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ମୃତକ ଜଣକ ହେଲେ ଭରତ ମଲ୍ଲିକ(୩୫) ।
ମିଳିଥିବା ରିପୋର୍ଟ ମୁତାବକ, ଭରତ ମଙ୍ଗଳବାର କଟ୍ରିଙ୍ଗିଆ ପଞ୍ଚାୟତ କୁନ୍ଦାଲି ଗ୍ରାମକୁ ଭୋଜି ଖାଇବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇନଥିଲେ । ସକାଳେ ଏଠାରୁ ପ୍ରାୟ ୩କିମି ଦୂର ମାଣିଜିରି ଗ୍ରାମର ସୁଦ୍ର କହଁରଙ୍କ ଘର ଅଗଣାରେ ତାଙ୍କ ମୃତଦେହ ପଡ଼ିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ । ପରିବାର ଲୋକେ ଆସି ଦେଖିବା ବେଳକୁ ଭରତଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡ଼ିଥିଲା । ଏନେଇ ଗୋଚ୍ଛାପଡ଼ା ଥାନାକୁ ସୂଚନା ଦିଆଯିବା ପରେ ଥାନାଧିକାରୀ ରଞ୍ଜିତ ମୁନି ଓ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ସାଇଣ୍ଟିଫିକ ଟିମ ସହ ଯାଇ ଘଟଣାର ଛାନବିନ କରିଥିଲେ । ଏନେଇ ମୃତକଙ୍କ ସ୍ତ୍ରୀ ବିଶିମତି ମଲ୍ଲିକ ଗୋଚ୍ଛାପଡ଼ା ଥାନାରେ ଏତଲା ଦେଇଥିଲେ । ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନାଧିକାରୀ ମୁନୀ ପ୍ରକାଶ କରିଛନ୍ତି ।