କନ୍ଧମାଳ,ଏନ୍ଏନ୍ଏସ୍: ମଣିପୁରରେ ଘଟିଥିବା ଅମାନବୀୟ ଘଟଣାକୁ ଫୁଲବାଣୀ ନ୍ୟାୟ, ଶାନ୍ତି ଓ ସଦଭାବନା ସମାଜ ତୀବ୍ର ନିନ୍ଦା କରିଛି । ଏଭଳି ଘଟଣା ସାରା ଦେଶକୁ ସ୍ତବ୍ଧ ଓ ଲଜ୍ଜିତ କରିଛି ଏବଂ ସରକାର ସେଠାରେ ହିଂସା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ମହିଳାଙ୍କୁ ସୁରକ୍ଷା ଦେବା, ମଣିଷପଣିଆ ଓ ସମ୍ବିଧାନ ବଞ୍ଚାଇବା ପାଇଁ ସଂଗଠନ ପକ୍ଷରୁ ଫୁଲବାଣୀରେ ଏକ ରାଲି ଅନୁଷ୍ଠିତ ହୋଇଛି । ସଂଗଠନ ପକ୍ଷରୁ ଏକ ଦାବୀପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । ମଣିପୁର ସମେତ ସାରା ଦେଶରେ ମଣିଷ ଜୀବନ ସୁରକ୍ଷିତ ରଖିବା, ଯଥାଶୀଘ୍ର ମଣିପୁରରେ ଶାନ୍ତି ଫେରାଇ ଆଣିବା, ମହିଳାଙ୍କୁ ସୁରକ୍ଷା ଦେବା, ସଂଖ୍ୟାଲଘୁଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଓ ଗଣଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ସଂଘ ସଭାପତି ପ୍ରସନ୍ନ ବିଶୋଇ, ସୁଇଟି ରେଭଲିନ ପ୍ରଧାନ, ସ୍ମୃତିରଂଜନ କହଁର ଓ ମନୋଜ କୁମାର ଦିଗାଲଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଥିଲା ।