ରାମନାଗୁଡ଼ା,ଏନ୍ଏନ୍ଏସ୍: ଚୋରି ଅଭିଯୋଗରେ ଆଜି ୨ଜଣ ଅଭିଯୁକ୍ତଙ୍କୁ ରାମନାଗୁଡ଼ା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପେଦାବାବୁ ମାଣ୍ଡାଙ୍ଗି(୧୯) ଓ ଚିନ୍ନା ନାଗବଂଶ । ମିଳିଥିବା ରିପୋର୍ଟ ମୁତାବକ, ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ସ୍ଥାନୀୟ ଅଞ୍ଚଳରେ ଗତ କିଛିଦିନ ଧରି ବାରମ୍ବାର ଚୋରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିବାବେଳେ ପୁଲିସ ପକ୍ଷରୁ କଡ଼ାକଡ଼ି ଭାବେ ପେଟ୍ରୋଲିଂ କରାଯାଉଥିଲା । ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଚାକୁଣ୍ଡାରେ ଥିବା ନିୟନ୍ତ୍ରିତ ବଜାର କମିଟିର କପା ବଜାର ପ୍ରାଙ୍ଗଣରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ସେଠାକାର କର୍ମଚାରୀ ଚିତ୍ତରଞ୍ଜନ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ରାମନାଗୁଡ଼ା ପୁଲିସ ସେକେଣ୍ଡ ଅଫିସର ବାବୁଲା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବାବେଳେ ଏକ ନମ୍ବରବିହୀନ ବାଇକ ସହ ୨ଜଣ ଯୁବକ ସନ୍ଦେହ ଘେରକୁ ଆସିଥିଲେ । ଥାନାରେ ଅଟକ ରଖି ସେମାନେ ଧରିଥିବା ବ୍ୟାଗ ଓ ବାଇକକୁ ଜବତ କରି ଯାଞ୍ଚ କରିଥିଲେ । ଅଭିଯୋଗକାରୀଙ୍କ ଏତଲା ଅନୁଯାୟୀ ଯେଉଁ ସବୁ ସାମଗ୍ରୀ ଚୋରି ହୋଇଥିଲା ସେହି ସବୁ ସାମଗ୍ରୀ ଅଭିଯୁକ୍ତଙ୍କଠାରୁ ଠାବ ହୋଇଥିବାରୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ରାମନାଗୁଡ଼ା ଥାନାଧିକାରୀ ସୁନିତା ବେହେରା ସୂଚନା ଦେଇଛନ୍ତି । ଏହି ସମୟରେ ଏସଆଇ ବାବୁଲା ପ୍ରଧାନ, ଏଏସଆଇ ଜଗନ୍ନାଥ ବେହେରା, ପୃଥ୍ୱୀରାଜ ଝଙ୍କାର ଓ ହୋମଗାର୍ଡ ଜୟଦେବ କରିଆଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।