କନ୍ଧମାଳ,ଏନ୍ଏନ୍ଏସ୍: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ୩ ଦିନିଆ କନ୍ଧମାଳ ଗସ୍ତରେ ଆସିଥିବାବେଳେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସର୍କିଟ ହାଉସରେ ତାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବାକୁ କନ୍ଧମାଳ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । କନ୍ଧମାଳକୁ ବ୍ରହ୍ମପୁର ସମ୍ବଲପୁର ରେଳ ସଂଯୋଗ, ଫୁଲବାଣୀ ସହରକୁ ମେଗା ଜଳ ପ୍ରକଳ୍ପ ସଂଯୋଗ, ବରିଷ୍ଠ ନାଗରିକଙ୍କୁ ରେଳ ପାସ୍ ପ୍ରଦାନ, ଜିଲ୍ଲାରେ ରୋହିଙ୍ଗିଆଙ୍କୁ ଚିହ୍ନଟ ଓ ତା’ର ପ୍ରତିକାର, ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ କେନ୍ଦ୍ର ନିମନ୍ତେ ସ୍ୱତନ୍ତ୍ର ଅନୁଦାନ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ, ଏକ କେନ୍ଦ୍ରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, କେନ୍ଦ୍ରୀୟ ଅନୁଦାନରେ ନଦୀପଠା ଉନ୍ନୟନ ଓ ନଦୀ ଗୁଡ଼ିକରେ କ୍ରମାନ୍ୱୟରେ ବ୍ୟାରେଜ ନିର୍ମାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସ୍ମାରକପତ୍ର ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀ ରାୟ ଏନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଥିଲେ । ଜିଲ୍ଲାର ଆବଶ୍ୟକତା ଓ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଏହି ଅବସରରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଣବ ମଣ୍ଡଳ, ଉପଦେଷ୍ଟା ନବୀନ କିଶୋର ପଣ୍ଡା, ଅଶୋକ ପରିଡ଼ା, ବଂଶୀଧର ପଣ୍ଡା, ରାଜ କିଶୋର ପାଢ଼ୀ, ପିତାମ୍ବର ମିଶ୍ର, ଜଗନ୍ନାଥ ସାହୁ,ପରେଶ ମହାପାତ୍ର ଓ ରମେଶ ମହାନ୍ତି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ସମସ୍ୟା ସମ୍ପର୍କରେ ନାଗରିକ କମିଟି ସହ ସୌଜନ୍ୟମୂଳକ ଆଲୋଚନା କରୁଥିବାରୁ କମିଟି ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା ।