ପାଟଣାଗଡ଼ ବିଧାୟକ ସମିତି ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

ଖପ୍ରାଖୋଲ,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଭିତରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଧାୟକ ସରୋଜ ମେହେର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଖପ୍ରାଖୋଲ ବିଡିଓ ବିଜୟ ହୋତା, ଲୋକସଭା ସାଂସଦ ନୋମିନି ପ୍ରବୀଣ ଅଗ୍ରୱାଲ, ସମସ୍ତ ସମିତି ସଭ୍ୟଙ୍କ ସହ ପ୍ରତ୍ୟେକ ବିଭାଗରୁ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । କିନ୍ତୁ ଏଥିରେ କିଛି ଗଣମାଧ୍ୟମ ପ୍ରତିନିଧି ହେମସାଗର ସାହୁ, ଅଭିନାଶ ବିଶ୍ୱାଳ ଓ ରୁପେନ୍ଦ୍ର ମୁଣ୍ଡା ପ୍ରମୁଖ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଯାଇଥିବାବେଳେ ସମସ୍ତଙ୍କ ଉପସ୍ଥିତିରେ ସେମାନଙ୍କୁ ବୈଠକରୁ ବାହାର କରି ଦିଆଯାଇଥିଲ । ନର୍ଦ୍ଦିଷ୍ଟ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଏବଂ ସମାଲୋଚନା ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ମର୍ମାହତ କରିଛି । ଏନେଇ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପଟେଲଙ୍କୁ ପଚାରିବାରୁ ମୋ ଦେହ ଭଲ ନାହିଁ କହି କିଛି କହିବା ଲାଗି ମନା କରି ଦେଇଥିଲେ । ସେହିପରି ଉକ୍ତ ବୈଠକରେ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଖରାପ ଭାଷା ବ୍ୟବହାର କରି ଟିପ୍ପଣୀ କରାଯିବାକୁ ନେଇ ସମସ୍ତ ବିଜେପି କର୍ମୀମାନେ ଘୋର ନିନ୍ଦା କରିବା ସହ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସମାଜର ମଙ୍ଗଳ ସକାଶେ ଗଣମାଧ୍ୟମ ପ୍ରତିନିଧି ଜାଗ୍ରତ ପ୍ରହରୀ ଭାବେ ନିଜ ଦାୟିତ୍ୱ ପାଳନ କରୁଥିବାବେଳେ ଏପରି ନିଷ୍ଠୁର କ୍ଷମତାର ଅନ୍ଧ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହାଇଥିବା ଗଣମାଧ୍ୟମ ପ୍ରତିନିଧି ପ୍ରତି ସରକାର ଯତ୍ନଶୀଳ ହୋଇ ଉକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଖପ୍ରାଖୋଲର ସମସ୍ତ ସାମ୍ବାଦିକ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଏମିତି ଦୁର୍ବ୍ୟବହାର ହେଲେ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସମସ୍ତ ସାମ୍ବାଦିକ ମତ ପ୍ରକାଶ କରିଛନ୍ତି ।