ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବନମହୋତ୍ସବ ସ୍ଥାନୀୟ ଚରକ ବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜତି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଅତିଥିରୂପେ ଯୋଗଦେଇ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଚଳିତ ବର୍ଷ ୨୫ ଲକ୍ଷ ଚାରାରୋପଣ କରାଯିବାକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରନ୍ଧାରି ଘୋଷଣା କରିଥିଲେ । ୧୨ ଲକ୍ଷ ଚାରା ମାଗଣାରେ ବଣ୍ଟନ କରାଯିବା ସହ ଜଙ୍ଗଲ ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ହେଉ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ବନର ସୁରକ୍ଷା ଓ ଜୈବ ବିବିଧତା ରକ୍ଷାର ପ୍ରମୁଖ ଆବଶ୍ୟକତା ଥିବାବେଳେ ଜନ ସଚେତନତା ଅଧିକ ମାତ୍ରାରେ ହେବା ଆବଶ୍ୟକ ବୋଲି ଅନ୍ୟ ଅତିଥିମାନେ ମତ ଦେଇଥିଲେ । ଏହି ଅବସରରେ ବନ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାବୁଗାଁ ରେଞ୍ଜର ଜବାଗୁଡ଼ା ବନ ସୁରକ୍ଷା ସମିତିକୁ ୨୦ ହଜାର ଟଙ୍କାର ଆର୍ôଥକ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସହକାରୀ ବନ ସଂରକ୍ଷକ ଧନୁର୍ଯ୍ୟୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବହୁ ବନାଞ୍ଚଳ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ ।