ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ସଦର ମୁଖ୍ୟ ବଜାର ନିକଟରେ ଥିବା ମାଁ ଶାରଳା ସୁନା ଦୋକାନରେ ପଶି ଦୁବୁର୍ତ୍ତମାନେ କଳାକନା ବୁଲାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ୩ ତାରିଖ ରାତିରେ ମାଁ ଶାରଳା ସୁନା ଦୋକାନର ମାଲିକ ଦୀପକ କୁମାର ସାହୁ ପ୍ରତିଦିନ ଭଳି ରାତି ୯ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଭୋରରୁ ଘର ମାଲିକ ଦୋକାନର ତାଲା ଭାଙ୍ଗି ପଡ଼ିଥିବା ଜାଣିବାକୁ ପାଇଥିଲେ । ପରେ ଏସମ୍ପର୍କରେ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ଦୋକାନରୁ ୧୦ହଜାର ଟଙ୍କା ସହ ୪ଗ୍ରାମ ସୁନା ଓ ୩୦୦ଗ୍ରାମ ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଛି । ପଡ଼ିଶା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ୨ଜଣ ଦୁବୁର୍ତ୍ତ ୧୨ଟା ୫୫ରେ ଆସି କଳାକନା ବୁଲାଇଥିବା ଚିତ୍ର ଉତ୍ତୋଳନ ହୋଇଛି । ଏନେଇ ରାମନାଗୁଡ଼ା ଥାନାରେ ଦୋକାନ ମାଲିକ ଏତଲା ଦେବା ପରେ ପୁଲିସ ତଦନ୍ତ ଜାରି ରଖିଛି ।