ସାଡ଼ୀଙ୍ଗିଆରେ ଡାଲା ଗାଡ଼ି ଧକ୍କାରେ ଜଣେ ମୃତ ଓ ୨ ଆହତ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ ସାଡ଼ୀଙ୍ଗିଆ ପଞ୍ଚାୟତ ସାଡୀଙ୍ଗିଆ ପାଣି ପମ୍ପ ନିକଟସ୍ଥ ବୁଲାଣି ରାସ୍ତାରେ ଡାଲା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଜଣେ ଗୁରୁତର ଓ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରୁ ଘଣ୍ଟାଏ ମଧ୍ୟରେ ୩ଜଣ ଯୁବକ ସାଡ଼ୀଙ୍ଗିଆ ନିକଟ ଲେଣ୍ଡ୍ରି ଗାଁରେ ବରାଳଦେବୀ ଯାତ୍ରା ଦେଖିବାକୁ ଆସି ନିଜ ଗାଁକୁ ଚାଲି ଚାଲି ଫେରୁଥିଲେ । ଏହି ସମୟରେ ଜାଜେସ ପଙ୍ଗା ପଟୁ ସାଡ଼ୀଙ୍ଗିଆ ଆଡ଼କୁ ଯାଉଥିବା ବୁଲାଣି ରାସ୍ତାରେ ପଛପଟୁ ଡାଲା ଗାଡ଼ି ଆସି ୩ଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ଜ୍ୟୋତି କହଁରଙ୍କ ମୃତ୍ୟୁ ହୋଇଥିବାବେଳେ କାଶୀନାଥ ସାହୁ ଓ ପ୍ରଫୁଲ କହଁରଙ୍କୁ ସାଡ଼ୀଙ୍ଗିଆ ଗାଁର ଶ୍ରୀକାନ୍ତ ଦିଗାଲ ଓ କିଛି ଲୋକେ ଦେଖି୧୦୮ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ । ମୃତ ଯୁବକଙ୍କ ପିତା ଲିଜୁରା କହଁର ଫିରିଙ୍ଗିଆ ଥାନାରେ ଲିଖିତ ଏତଲା ଦେବା ପରେ ଫିରିଙ୍ଗିଆ ଥାନାରୁ ଅତିରିକ୍ତ ଥାନାଧିକାରୀ ପ୍ରଦୀପ କୁମାର ରାଉଳ ଓ ଟିମ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରି ପଞ୍ଚନମା ପରେ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ଫିରିଙ୍ଗିଆ ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଥିବାବେଳେ ଦୁର୍ଘଟଣା ଘଟାଇଥିବା ଅଶୋକ ଲିଲେଣ୍ଡଙ୍କ ଡାଲା ଗାଡ଼ିକୁ ଜବତ କରିଥିବାବେଳେ ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିବା ଜଣାପଡି଼ଛି ।