କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଓ ଜିଦଖୋର ନୀତି ଯୋଗୁ ଜଣେ ଅଜଣା ଗଳିତ ଶବର ବ୍ୟବଚ୍ଛେଦ ପରେ ମଧ୍ୟ ସତ୍କାରରେ ବିଳମ୍ବ ଦେଖାଦେଇଛି । ଏନେଇ କେସିଙ୍ଗା ପୁଲିସ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କେସିଙ୍ଗା ନିକଟସ୍ଥ ନେଚୁରାଲ କପା ମିଲ ପଛପଟେ ବୁଧବାର ସନ୍ଧ୍ୟାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପ୍ରସାରିତ ହୋଇଥିଲା ଯାହାର ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାପଡ଼ିଥିଲା । ଖବର ପାଇ ଯୁବକର ଗଳିତ ମୃତଦେହ କେସିଙ୍ଗା ପୁଲିସ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ତଦନ୍ତ ଆରମ୍ଭ କରିଥିଲା । ଶବଟି ୩ରୁ ୪ ଦିନ ତଳର ହୋଇଥିବାରୁ ପଚି ଯାଇ ମୁଁହ ଚିହ୍ନି ହେଉନଥିବାବେଳେ ଶରୀରରେ ପୋକ ହୋଇ ଯାଇଥିଲା । ୨୪ ଘଣ୍ଟା ଅପେକ୍ଷା ପରେ ମଧ୍ୟ କୌଣସି ଆତ୍ମୀୟ ଆସି ଶବ ନେବା ପାଇଁ ଦାବୀ ନକରିବାରୁ ବ୍ୟବଚ୍ଛେଦ ପରେ ସତ୍କାର ପାଇଁ କେସିଙ୍ଗା ପୁଲିସ ଏନଏସି କାର୍ଯ୍ୟାଳୟର ସାହାଯ୍ୟ ଲୋଡ଼ିଥିଲା । ଗୋଟିଏ ଟ୍ରାକ୍ଟର ଓ କିଛି ସୁଇପର ଦେବା ପାଇଁ ପୁଲିସ ଏନଏସି ପ୍ରଶାସନକୁ ନିବେଦନ କରିଥିଲେ ହେଲେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏହି ଘଟଣା ଡୁମେରମୁଣ୍ଡା କହି ମୁଁ ଟ୍ରାକ୍ଟର କିମ୍ବା ସୁଇପର ଦେଇପାରିବିନି ବୋଲି ରୋକଠୋକ ମନା କରିଦେଇଥିଲେ । ଏହାକୁ କେନ୍ଦ୍ର କରି କେସିଙ୍ଗା ପୁଲିସ ଓ ଏନଏସି ନିର୍ବାହୀ ଅଧିକାରିଣୀ ମଧ୍ୟରେ କଥା କଟିକଟି ହୋଇଥିବା ଜଣାପଡ଼ିଛି । କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ ଅଲଗା ବ୍ୟବସ୍ଥା ନାହିଁ ହସ୍ପିଟାଲ ପରିସରରେ ଶବ ବ୍ୟବଚ୍ଛେଦ କରାଯାଉଛି । ବର୍ତ୍ତମାନ ଶବ ପଚି ସଢ଼ି ଯାଇଛି ଓ ସେଥିରୁ ଦୁର୍ଗନ୍ଧ ବାହାରୁଛି । ଆମେ ତଦନ୍ତ ପାଇଁ ଶବକୁ ୨-୪ ଦିନ ରଖିପାରିବୁ କିନ୍ତୁ ଯଦି ସେଥିରୁ ଦୁର୍ଗନ୍ଧ ହୁଏ କିମ୍ୱା କୌଣସି ଇନଫେକ୍ସନ ହୁଏ ସେଥିପାଇଁ ଏନଏସି ପ୍ରଶାସନ ଦାୟୀ ରହିବେ । ଆମେ ମଣିଷ ଓ ଆମ ଭିତରେ ମଧ୍ୟ ମାନବିକତା ରହିବା ଉଚିତ ବୋଲି ଇନ୍ସପେକ୍ଟର ଲୋରିଷ ପ୍ରଧାନ ପ୍ରକାଶ କରିଛନ୍ତି । ଏନେଇ କେସିଙ୍ଗା ନିର୍ବାହୀ ଅଧିକାରିଣୀ କିରଣ ବେହେରାଙ୍କ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଶବ କେସିଙ୍ଗା ଗୋଷ୍ଠୀ ଶବ ଗୃହରେ ପଡ଼ି ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।