ପାଟଣାଗଡ଼ରେ ରଥଯାତ୍ରା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବରମ୍ପୁରାସ୍ଥିତ ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିରରେ ଅପରାହ୍ନ ୩ଟା ୩୦ ମିନିଟରେ ୩ ଠାକୁରଙ୍କ ଛେରା ପହଁରା କରାଯାଇ ମନ୍ଦିରରୁ ରଥଖଳା ପର୍ଯ୍ୟନ୍ତ ଘଣ୍ଟ ବାଦ୍ୟରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ରଥରେ ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ରଥ ଟଣା ଯାଇଥିଲା । ଏହି ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ସହସ୍ରାଧିକ ଭକ୍ତ ଆସି ରଥ ଟାଣିଥିଲେ । ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହି ୩ ଠାକୁରଙ୍କୁ ଦର୍ଶନ କରିଥିଲେ । ୩ ଠାକୁର ମାଉସୀ ଘରକୁ ଯାଉଥିବାବେଳେ ବାଟରେ ଭକ୍ତଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ ଓ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଥିଲା । ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଡକ୍ଟର ବିଜୟା ନନ୍ଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଟଣାଗଡ଼ ଓ ବେଲପଡ଼ା ତହସିଲଦାର କାର୍ଯ୍ୟକ୍ରମକକୁ ତଦାରଖ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାଟଣାଗଡ଼ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ବୋଲି ଏସଡିପିଓ କହିଛନ୍ତି ।