ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷୟତ୍ରୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭ ନଷ୍ଟ କରିବା ନେଇ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନାଞ୍ଚଳର ଜଣେ ବିବାହିତା ମହିଳା ବାରକୋଟ ଥାନା ବମ୍ପରଡ଼ାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବା ସହ ନିଜ ୨ ପିଲାଙ୍କ ସହ ରହି ଆସୁଛନ୍ତି । ତେବେ ପିଲାଙ୍କ ଚିକିତ୍ସା ପାଇଁ ସେ ବମ୍ପରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କୃଷ୍ଣ ବୋଇପାଇ ନିକଟକୁ ଯାଉଥିଲେ । ଡାକ୍ତର କୃଷ୍ଣ ଗତ ଜାନୁଆରୀ ୫ ତାରିଖରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଏକ କୋଠରୀରେ ପୀଡ଼ିତା ମହିଳାଙ୍କୁ ଡାକି ବଳପୂର୍ବକ ଚୁମ୍ବନ ଦେଇ ପ୍ରେମ ନିବେଦନ କରିଥିଲେ । ମହିଳା ଜଣକ ଏଥିରେ ରାଜି ନହେବାରୁ ଡାକ୍ତର କୃଷ୍ଣ ପୀଡ଼ିତାଙ୍କ ଶିଶୁଙ୍କୁ ହତ୍ୟା ଧମକ ଦେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ପରେ ମହିଳା ଜଣକ ରହୁଥିବା ଭଡ଼ା ଘରକୁ ଯାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ପୀଡ଼ିତା ଗର୍ଭବତୀ ହେବା ଜାଣି ଡାକ୍ତରଙ୍କୁ କହିବାରୁ ସେ ଔଷଧ ଖୁଆଇ ଗର୍ଭ ନଷ୍ଟ କରିଥିଲେ । ଏଥିସହ ବିଭିନ୍ନ ଆଳରେ ଗତ ୬ ମାସ ମଧ୍ୟରେ ଡାକ୍ତର କୃଷ୍ଣ ପୀଡ଼ିତାଙ୍କଠାରୁ କୁଆଡ଼େ ୪୦ ହଜାର ଟଙ୍କା ନେଇ ଧରାଛୁଆଁ ଦେଉନଥିବା ନେଇ ମହିଳା ଜଣକ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ରିପୋର୍ଟ ଆଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଛି । ଅନ୍ୟପଟେ ଡାକ୍ତର ଫେରାର ଥିବା ଜଣାପଡ଼ିଛି ।