କେସିଙ୍ଗା,ଏନ୍ଏନ୍ଏସ୍: ବାଲେଶ୍ୱର ବାହାନଗା ଭୟାବହ ରେଳ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ଲଗାତାର ଭାବେ କିଛି ସ୍ଥାନରେ ଛୋଟ ବଡ଼ ରେଳ ଦୁର୍ଘଟଣା ସଭିଙ୍କୁ ଆହୁରି ଭୟଭୀତ କରିଛି । ଏହିକ୍ରମେ ଆଜି କେସିଙ୍ଗା ରେଳ ଷ୍ଟେସନ୨ ନମ୍ବର ପ୍ଲାଟଫର୍ମରେ ଦାମନଯୋଡ଼ି-ଅନୁଗୁଳ ଅଭିମୁଖେ ଯାଉଥିବା ଆଲୁମିନା ବୋଝେଇ ମାଲବାହୀ ଟ୍ରେନର ପ୍ରୋକଲିନ ଛିଣ୍ଡି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଦାମନଯୋଡ଼ିରୁ ଆଲୁମିନା ବୋଝେଇ ଟ୍ରେନ ଅନୁଗୁଳ ଅଭିମୁଖେ ଯାଉଥିବାବେଳେ କେସିଙ୍ଗା ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ କିଛି ସମୟ ପାଇଁ ଅଟକିଥିଲା । ପରେ ସିଗନାଲ ମିଳିବାରୁ ଲୋକୋ ପାଇଲଟ ଟ୍ରେନକୁ ଷ୍ଟାର୍ଟ କରିବା ମାତ୍ରେ ଟ୍ରେନଟି ମଝି ବଗିରୁ ଅଲଗା ହୋଇ ପାଖାପାଖି ୩୦ ମିଟର ଗଡ଼ି ଯାଇଥିଲା ହେଲେ ଲୋକ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ପରେ କେସିଙ୍ଗା ଷ୍ଟେସନମାଷ୍ଟରଙ୍କୁ ସୂଚନା ଦେବା ପରେ ଷ୍ଟେସନମାଷ୍ଟର ଟିଟିଲାଗଡ଼ ଟେକନିକାଲ ଦଳକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଟେକନିକାଲ ଦଳ ପହଂଚି ପ୍ରୋକଲିନ ଠିକ କରିବାରୁ ପ୍ରାୟ ୧୨.୩୦ରେ ଟ୍ରେନଟି ନିଜ ଗନ୍ତବ୍ୟସ୍ଥଳୀକୁ ବାହାରିଥିଲା ।