ଅଦିନିଆ ବର୍ଷାରେ ଘର ଭାଙ୍ଗିଥିବା ପରିବାରକୁ ତହସିଲ କାର୍ଯ୍ୟାଳୟ ତରଫରୁ ପାଲ ପ୍ରଦାନ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକରେ ଗତ ୪ ତାରିଖରେ ଅଦିନିଆ ବର୍ଷା ଓ ପ୍ରବଳ ପବନ ଘଡ଼ଘଡ଼ିରେ ଅନେକଙ୍କ ଘରର ଚାଳ ଓ ଟିଣ ଛପର ଉଡ଼ି ନଷ୍ଟ ହୋଇଥିବାବେଳେ ବିଦ୍ୟୁତ ତା’ର ଛିଣ୍ଡିବା ସହ ବିଦ୍ୟୁତ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଥିଲା । ବର୍ଷା ଛାଡ଼ିବା ପରେ କ୍ଷୟକ୍ଷତି ଘଟିଥିବା ପରିବାର ତରଫରୁ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ଏବଂ ଆରଆଇଙ୍କ ସହ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ତରଫରୁ ଫିରିଙ୍ଗିଆ ପଞ୍ଚାୟତ ଆରଆଇ ସର୍କଲର ଘର ଭାଙ୍ଗିଥିବା ୪ଟି ପରିବାର ଏବଂ ବନ୍ଧଗଡ଼ ଆରଆଇ ସର୍କଲର ଘର ଭାଙ୍ଗିଥିବା ୨ଟି ପରିବାରକୁ ପାଲ ପ୍ରଦାନ କରାଯାଇଛି । ଏହି ଘଟଣାରେ ଫିରିଙ୍ଗିଆ ତହସିଲଦାର ଏମ ଅନୁରାଧା ନିଜେ ବୁଲି ଦେଖିଥିବାବେଳେ ଫିରିଙ୍ଗିଆ ଆରଆଇ ଶୁଭଦର୍ଶିନୀ ମହାରଣା ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ବରଦା ପ୍ରସାଦ ବୈଶାଖ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚି ପାଲ ପ୍ରଦାନ କରିଛନ୍ତି । ଅନ୍ୟପଟେ ଅଧିକ ଅଭିଯୋଗ ଆସିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ମଧ୍ୟ ପାଲ ପ୍ରଦାନ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।