ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦନ୍ନୋତି ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘେରାଉ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାରେ ଗ୍ରେଡ଼ ୩କୁ ପଦୋନ୍ନତି ପାଇଥିବା ୪୪୨ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ୩୧୫ ଜଣଙ୍କ କାଉନସେଲିଂ ଚାଲିଛି । ଅନ୍ୟପଟେ ବିଭିନ୍ନ କାରଣ ଦର୍ଶାଇ ସେଥିରୁ ୧୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ବାତିଲ କରିଦେଇ ଥିବାରୁ ଆଜି ବାତିଲ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ବାସଭବନକୁ ଯାଇ ଘେରାଉ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କ ଗାଡ଼ି ଆଗରେ ବସି ପଡ଼ିଥିଲେ । ସେଠାରେ ବିକ୍ଷୋଭ କରି ଆଜି ଚାଲିଥିବା କାଉନସେଲିଂକୁ ବାତିଲ କରିବା ପାଇଁ ଦାବୀ କରିଥିଲେ । ପୁଲିସର ହସ୍ତକ୍ଷେପ ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାଉନସେଲିଂ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦେଇଥିଲେ । କେଉଁ ପରିସ୍ଥିତିରେ ଓ କେଉଁ କାରଣ ପାଇଁ ସେମାନଙ୍କ ନାମ କଟାଗଲା ବୋଲି ପ୍ରଶ୍ନ ପଚାରିବାରୁ ଯଦି କିଛି ଭୁଲ ହୋଇଥାଏ ପରେ ସମାଧାନ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ କହିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କିଛିଟା ଭୁଲ ରିପୋର୍ଟ ଦେବା ଦ୍ୱାରା ଏଭଳି ଘଟଣା ଘଟିଛି । ପରେ ଚିଠି ମାଧ୍ୟମରେ ନିର୍ଦ୍ଦେଶଙ୍କୁ ଜଣାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେବେ ଯଦି ଦାବୀ ପୂରଣ ନହୁଏ ତା’ହେଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଚେତାବନୀ ଦେଇଥିବା ଶୁଣିବାକୁ ମିଳିଛି ।