ନବରଙ୍ଗପୁରର ୧୦ଟି ବ୍ଲକ ହାତେଇଲା ପକୃତି ମିତ୍ର ପୁରସ୍କାର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବିଶ୍ୱ ପରିବେଶ ଦିବସ ୨୦୨୩ ପାଳନ ଅବସରରେ ନବରଙ୍ଗପୁର ୧୦ଟି ବ୍ଲକ ଚଳିତ ବର୍ଷ ପକୃତି ମିତ୍ର ପୁରସ୍କାର ହାତେଇଛି । ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଭୁବନେଶ୍ୱରର ଲୋକସଭା ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏଥିରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ଭିଡିଓ କନଫ୍ରେନ୍ସ ଦ୍ୱାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତା ରଖି ଓଡ଼ିଶାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଘୋଷଣା କରିଥିଲେ । ଚଳିତ ବର୍ଷ “ସଲ୍ୟୁସନ ଟୁ ପ୍ଲାଷ୍ଟିକ ପଲ୍ୟୁସନ’ ବାର୍ତ୍ତା ଥିଲା । ଓଡ଼ିଶାରେ ୩୧୪ ବ୍ଲକ ଥିବାବେଳେ ୧୭୩ ବ୍ଲକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏଥିରେ ନବରଙ୍ଗପୁରର ପ୍ରତ୍ୟକ ବ୍ଲକ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ରୂପେ ୨୦ହଜାର ଟଙ୍କାର ଚେକ ସହିତ ଏକ ଏକ ମାନପତ୍ର ବିଭାଗୀୟ ମନ୍ତ୍ରୀଙ୍କଠାରୁ ଗ୍ରହଣ କରିଥିଲେ । ପ୍ରଥମଥର ପାଇଁ ଓଡ଼ିଶାର ଏକ ସ୍ପେସିଆଲ ସ୍କୁଲ ଏହି ପୁରସ୍କାର ଗ୍ରହଣ କରିଥିଲା । ନବରଙ୍ଗପୁରସ୍ଥିତ ନନ୍ଦାହାଣ୍ଡି ବ୍ଲକ ଅଶାକିରଣ ନିଜର ସୁନ୍ଦର ବଗିଚା, ବିଭିନ୍ନ ଗଛ ରୋପଣ ଓ ପରିବେଶ ସଫା ସୁତୁରା ପାଇଁ ଜିଲ୍ଲାସ୍ତରରୁ ଯୋଗ୍ୟ ଭାବେ ରାଜ୍ୟସ୍ତରରୁ ଏହି ପୁରସ୍କାର ଲାଭ କରିଛି । ଅଶାକିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଓଡ଼ିଶାର ଲୋକସଭା ଭବନରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲେ ।