ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବନଖଣ୍ଡ ପକ୍ଷରୁ ବନଖଣ୍ଡ ସମ୍ମିଳନୀ କକ୍ଷରେ ବର୍ଣାଢ୍ୟ ପରିବେଶରେ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ସମ୍ମାନିତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ରଥ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ, ଅବୈତନିକ ୱାଇଲଡ ଲାଇଫ ୱାର୍ଡନ ଲଳିତ ମୋହନ ସାହୁ ଓ ବରିଷ୍ଠ ନାଗରିକ ପ୍ରଫୁଲ୍ଲ କୁମାର ମହାପାତ୍ର ମଞ୍ଚାସିନ ରହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ଚଳିତ ବର୍ଷର ବିଷୟ ବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପ୍ଲାଷ୍ଟିକ ଯୋଗୁ ପରିବେଶ ପ୍ରଦୂଷଣର ମାତ୍ରା ବୃଦ୍ଧି ବର୍ତ୍ତମାନ ଓ ଭବିଷ୍ୟତ ପୀଢ଼ୀ ପାଇଁ ଚିନ୍ତାର ମୁଖ୍ୟ କାରଣ ସାଜିଥିବାବେଳେ ଜନ ସଚେତନତା ହିଁ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ଲାଗି ଏକ ମୁଖ୍ୟ ମାଧ୍ୟମ ହୋଇପାରିବ ବୋଲି ମଞ୍ଚାସିନ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ । ସେହିପରି ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ସ୍କୁଲସ୍ତରରୁ ସଚେତନତା କାର୍ଯ୍ୟକ୍ରମ କରିବାକୁ କହିଥିଲେ । ବିଶ୍ୱ ପରିବେଶ ଦିବସ ଅବସରରେ ଖମାର ବନାଞ୍ଚଳର ପୂର୍ଣ୍ଣ ଚନ୍ଦ୍ର ବେହେରା, ଦେବଗଡ଼ ବନାଞ୍ଚଳର ନିତ୍ୟାନନ୍ଦ ପ୍ରଧାନ ଓ ବାରକୋଟ ବନାଞ୍ଚଳର ହାଡ଼ିବନ୍ଧୁ ମହନ୍ତଙ୍କୁ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ସହ ବନ ସୁରକ୍ଷା ଲାଗି ଶ୍ରେଷ୍ଠ ପଦକ୍ଷେପ ଗ୍ରହଣ କରିଥିବାରୁ ବନଖଣ୍ଡ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ପୂର୍ବରୁ କୁଣ୍ଡାପିଠା ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସ୍ୱାଗତ ସଂଗୀତ ଓ ନୃତ୍ୟ ସହ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା ।