୫୦ କିଲୋ ଗଞ୍ଜେଇ ସହ ବୋଲେରୋ ଗାଡ଼ି ଜବତ, ଜଣେ ଗିରଫ

ଗୁମାଗଡ଼,ଏନ୍‌ଏନ୍‌ଏସ୍‌: ଫୁଲବାଣୀ ସଦର ଅବକାରୀ ବିଭାଗ ୫୦ କେଜି ଗଞ୍ଜେଇ ଓ ବୋଲୋରକୁ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଇକୁମ୍ପା ଗ୍ରାମର ହେମନ୍ତ ଦିଗାଲ(୨୯) । ମିଳିଥିବା ରିପୋର୍ଟ ମୁତାବକ, ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ସଦର ଅବକାରୀ ବିଭାଗର କର୍ମଚାରୀମାନେ ଆଜି ସକାଳେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଫୁଲବାଣୀ ସହର ଅନ୍ତର୍ଗତ ପଟାବାଲି ସାହି ଶଙ୍ଖ ଉପରେ ଗୋଟିଏ ବୋଲେରୋ ପିକଅପକୁ ସନ୍ଦେହରେ ଯାଞ୍ଚ କରିବାରୁ ସେଥିରୁ ୫୦କିଲୋ ଗଞ୍ଜେଇ ବାହାରିଥିଲା । ଏନେଇ ଫୁଲବାଣୀ ସଦର ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରିଛି । ଅବକାରୀ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ଭୃଗୁପତି ଦିଗାଲ, ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ପ୍ରଦୀପ କୁମାର ମଲ୍ଲିକ, ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ସୁଜିତ କୁମାର ମଲ୍ଲିକ, ଅବକାରୀ କନେଷ୍ଟବଳ ସଦାଶିବ ରଣା ଓ ଅଜୟ କୁମାର ସାହୁ ଏଥିରେ ସାମିଲ ଥିଲେ ।