ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ-ଦେହରାଦୁନ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫ୍ରେନ୍ସ ଜରିଆରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ଥିଲେ । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଗତ କିଛି ବର୍ଷ ହେବ ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ ଯେଉଁଭଳି ଭାବେ ନିଜ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିଛି ଏହାକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି । ଆମ ଦେଶକୁ ବୁଝିବା ପାଇଁ ସମଗ୍ର ବିଶ୍ୱର ପର୍ଯ୍ୟଟକ ଭାରତ ଆସିବାକୁ ଚାହୁଁଛନ୍ତି ।
ସମାରୋହକୁ ସମ୍ବୋଧିତ କରି ମୋଦୀ ଆହୁରି କହିଛନ୍ତି ଯେ, ମୁଁ ଏବେ ଏବେ ୩ଟି ଦେଶ ଯାତ୍ରା କରି ଫେରିଛି ସେଥିପାଇଁ କହିପାରିବି କି ସମଗ୍ର ବିଶ୍ୱ ଭାରତକୁ ଏକ ଆଶାର କିରଣ ଭାବେ ଦେଖୁଛି ।