କେସିଙ୍ଗା,ଏନ୍ ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ମହାନତା ଦେଖିବାକୁ ମିଳିଛି । ଶ୍ରୀ ସେନାପତି ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ବକେୟା ୪ ମାସର ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାସହ ହୋଟେଲରେ ଖୁଆଇ ଅଟୋ ଯୋଗେ ଘରେ ପହଞ୍ଚାଇବା ଘଟଣା କେସିଙ୍ଗାରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ୧୫ ତାରିଖରେ କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ବୃଦ୍ଧ ଦମ୍ପତି ନବ ଛତ୍ରୀଆ(୭୦) ଓ ତାଙ୍କ ସ୍ତ୍ରୀ ଫୁଲମତି ଛତ୍ରୀଆ(୬୬) ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରକୁ ଭତ୍ତା ମିଳୁନଥିବା ଅଭିଯୋଗ ନେଇ ଆସିଥିଲେ । ୪୮ ଡିଗ୍ରୀ ଟାଣ ଖରାରେ ଦମ୍ପତ୍ତି ପୋଢ଼ଖମ୍ବ ଗ୍ରାମରୁ ବ୍ଲକ କାର୍ଯ୍ୟାଳୟକୁ ପାଖାପାଖି ୭କିମି ଚାଲି ଚାଲି ଆସିଥିଲେ । ହେଲେ ଏହି ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ନଜର ପଡ଼ିଥିଲା ଏବଂ ଉଭୟଙ୍କଠାରୁ ସମସ୍ୟା ପଚାରି ବୁଝିଥିଲେ । ବୃଦ୍ଧ ଦମ୍ପତ୍ତି ୪ ମାସରୁ ଉର୍ଦ୍ଧ୍ୱ ହେବ ଭତ୍ତା ମିଳିନଥିବା ଅଭିଯୋଗ କରିଥିଲେ । ଏହା ଶୁଣି ଶ୍ରୀ ସେନାପତି ପ୍ରତିକ୍ରିୟାଶୀଳ ହୋଇ ଶିରୋଲ ଗ୍ରାମ ପଞ୍ଚାୟତର ନିର୍ବାହି ଅଧିକାରୀ ଗଜିନ୍ଦ୍ର ସାହାଙ୍କୁ ଡାକି ତୁରନ୍ତ ଘରକୁ ଯାଇ ଭତ୍ତା ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଭୋକରେ ଥିବା ଦମ୍ପତ୍ତିଙ୍କୁ ହୋଟେଲରେ ଖାଇବା ବ୍ୟବସ୍ଥା କରି ଅଟୋ ଯୋଗେ ଘରକୁ ପଠେଇଥିଲେ । ଆପଣମାନେ ଯେମିତି ନିଜ ଦରମା ପାଇଁ ଜଗୁଛନ୍ତି ଏହି ବୁଢ଼ାବୁଢ଼ୀ ଭତ୍ତା ଖଣ୍ଡିକ ପାଇଁ ସେମିତି ଆତୁର ହୋଇ ଜଗୁଛନ୍ତି । ଆଗକୁ ଏଭଳି ଅବହେଳା ଯେମିତି ନହୁଏ ସେଥିପାଇଁ ଆପଣମାନେ ଯତ୍ନବାନ ହୁଅନ୍ତୁ ବୋଲି ଶ୍ରୀ ସେନାପତି ଶିରୋଲ ନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ ।