ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିନିଧି ମାନସ ରଞ୍ଜନ ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ଉମରକୋଟ ପୌରାଧ୍ୟକ୍ଷା ରାଧା ଭତରା, ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନିର୍ମଳ କୁମାର ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଶେଷ କରି ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇପାରିବ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ଦୁର୍ବଳ ନଦୀବନ୍ଧ ଗୁଡ଼ିକ ଶୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ, କିରୋସିନି, ଚୁଡ଼ା, ଗୂଡ଼, ଗୋଖାଦ୍ୟ ଓ ଔଷଧ ବ୍ୟତୀତ ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଉପରେ ଯଥାସମ୍ଭବ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ସମ୍ଭାବ୍ୟ ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସହିତ ଉପସ୍ଥିତ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
