ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାର ପ୍ରଥମ ଏନସିସି ଟ୍ରାକ ଜିଲ୍ଲାବାସୀଙ୍କୁ ସମର୍ପିତ କରାଯାଇଛି । ଏନସିସିର ୧୩ ବାଟାଲିୟନ – ଓଡ଼ିଶା ଶାଖା ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟରେ ନବନିର୍ମିତ ତାଲିମ୍ ଟ୍ରାକକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଉଦଘାଟନ କରିଛନ୍ତି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ, ଏନସିସି ଅଧିକାରୀ ଉଜ୍ଜ୍ୱଳ କୁମାର ମହାନନ୍ଦିଆ ଏବଂ୧୩ ବାଟାଲିୟନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଟ୍ରାକଟି ହେବା ଦ୍ୱାରା ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ଏନସିସି ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଶିକ୍ଷଣ ସୁବିଧା ପାଇପାରିବେ ବୋଲି ବିଧାୟକ କହିଥିଲେ । ଭବିଷ୍ୟତରେ ଜିଲ୍ଲା ଏନସିସି ତଥା ମହାବିଦ୍ୟାଳୟ କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକୀୟ ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଅତୀତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କର ଏନସିସି ଥିବାରୁ ଅନେକ ବୃତ୍ତି ପାଇପାରିଛନ୍ତି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ପରେ ମହାବିଦ୍ୟାଳୟରେ ଚାଲିଥିବା ମାସିକିଆ ନିଃଶୁକ୍ଳ ଫୁଟବଲ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ଉଭୟ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଫୁଟବଲ୍ ଖେଳର ଉପାଦେୟତା ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ । ଏହିପରି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଶ୍ରୀ ପ୍ରଧାନୀ ଉଭୟ ଅଧ୍ୟକ୍ଷ ଓ ପ୍ରଶିକ୍ଷକ ଅଶୋକ ପାତ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଶରୀର ଓ ମନର ଏକାଗ୍ରତା ପାଇଁ କ୍ରୀଡ଼ା ଏକ ଉତ୍କୃଷ୍ଠ ମାଧ୍ୟମ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏହି କର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୨୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ପାଇଁ ଯୋଗ ଦେଇଥିଲେ । ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡା. ନୀଳାଚଳ ମିଶ୍ର, ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଶମ୍ଭୁ ପ୍ରସାଦ ହୋତାଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । କ୍ରୀଡ଼ାର ବିକାଶ ପାଇଁ ଆଗାମୀ ଦିନରେ ଅନେକ କାର୍ଯ୍ୟ କରିବା ପାଇଁ ଯୋଜନା ରହିଥିବା କଥା ଅଧ୍ୟକ୍ଷ ପ୍ରକାଶ କରିଥିଲେ ।