ଜାତୀୟ ରାଜପଥ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ଗ୍ରାମବାସୀଙ୍କ ବିରୋଧ

ରିଆମାଳ,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ରିଆମାଳରୁ ବୁଡ଼ିଦୋ ଭାୟା ଧରମପୁର ବାଇପାସ୍ ରାସ୍ତାରେ ଗତକାଲିରୁ ପ୍ରାଚୀ ଇନଫ୍ରା ରୋଡ ଲିମିଟେଡ ତରଫରୁ ଜମିର ଚିହ୍ନଟ ପ୍ରକ୍ରିୟା ଚାଲିଛି । ଧରମପୂର, ରିଆମାଳ ଓ ବୁଡ଼ିଦୋ ଗ୍ରାମର ଗ୍ରାମବାସୀମାନେ ଜମିର କ୍ଷତି ପୂରଣ ଉଚିତ୍ ମୂଲ୍ୟ ପାଇନଥିବାରୁ ଗ୍ରାମବାସୀମାନେ ଚିହ୍ନଟ ପ୍ରକ୍ରିୟାକୁ ଆଜି ବିରୋଧ କରିବା ସହିତ ପ୍ରାଚୀ ଇନଫ୍ରା ରୋଡ ଲିମିଟେଡ ଗାଡ଼ିକୁ ଅଟକ ରଖିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜମି ଚିହ୍ନଟ କରି ଡିସିମିଲ ପ୍ରତି କିଛି ଲୋକଙ୍କୁ ୧ଲକ୍ଷ ୫୪ ହଜାର ଅର୍ଥ ରାଶି ଯୋଗାଇ ଦେଇଥିବାବେଳେ ଆଉ କିଛି ଲୋକଙ୍କୁ ଡିସିମିଲ ପ୍ରତି ୧୮ ହଜାର ଅର୍ଥ ରାଶି ଯୋଗାଇ ଦେଇଥିବାରୁ ଗ୍ରାମବାସୀମାନେ ଜମିର ଚିହ୍ନଟ ପ୍ରକ୍ରିୟାକୁ ଆଜି ବିରୋଧ କରିଥିଲେ । ତେବେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆରଆଇ ନିର୍ମଳ ବିଶ୍ୱାଳ ଆସି ବୁଝାସୁଝା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।