ନବରଙ୍ଗପୁର,ଏନ୍ଏନ୍ଏସ୍: ସଦର ବ୍ଲକ ଅନ୍ତର୍ଗତ ଏକ କାଜୁ ମିଲରେ ଡକାୟତି ଉଦ୍ୟମ ସମୟରେ ପୁଲିସ ୯ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନିଶନାହାଣ୍ଡିର ତୁଲାରାମ ହରିଜନ, ରାଜେଶ ହରିଜନ, ବି ମାଳିଗୁଡ଼ାର ଘାସିରାମ ହରିଜନ, ପଠାନ ଗୁଡ଼ାର ଅରୁଣ ହରିଜନ, ଖାତିଗୁଡ଼ାର ବାବୁନି ନାୟକ, କଇଗୁଡ଼ାର ହରିରାମ ହରିଜନ, ବଡ଼ ଡାଇଭଟ୍ଟାର ଆଡବିନ ଡଙ୍ଗରି ଓ ଭତରା ସିୟୁନିର ରାମ ହରିଜନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ଏସ. ସୁଶ୍ରୀ ସୂଚନା ଦେଇଛନ୍ତି । ଏସପିଙ୍କ କହିବାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ବଣିଆ ଗ୍ରାମସ୍ଥିତ ମା’ ଭଣ୍ଡାରଘରଣୀ କାଜୁ ମିଲରେ ଡକାୟତି ଉଦ୍ୟମ କରିବା ପାଇଁ ୯ ଡକାୟତ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଟାଉନ ପୁଲିସର ଏକ ଟିମ ପହଞ୍ଚି ସମସ୍ତ ୯ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ସମୟରେ ଏମାନଙ୍କଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ୨ଟି ଲୁହା ରୋଡ଼, ଗୋଟିଏ ପ୍ଲାଇ, ନଗଦ ୭୦୦ ଟଙ୍କା ଓ ୭ ଟି ମୋବାଇଲ ଫୋନ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ୯ ଜଣଙ୍କ ନାମରେ ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାର କିଛି ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଏସପି ଏସ.ସୁଶ୍ରୀ ସୂଚନା ଦେଇଛନ୍ତି ।