ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡ଼ି ପଞ୍ଚାୟତ କଡୁରାହାଠାରୁ ଜ୍ରାକି ରାହାକୁ ସଂଯୋଗ କରୁଥିବା ରାସ୍ତା ଗତକାଲିଠାରୁ ଜାରି ରହିଥିବା ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଫଳରେ ଏହି ରାସ୍ତା ଦେଇ ଯାଉଥିବା ଜ୍ରାକି ରାହା, ଡହିଙ୍ଗିଆ, ଡାଡ଼ିଲାଇ, କରୁକଜା ଓ ମହଲ୍ଲିଙ୍ଗିଆ ଭଳି ଅନେକ ଛୋଟ ବଡ଼ ଗାଁ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ବର୍ତ୍ତମାନ ଯାତାୟତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ଏହି ରାସ୍ତା ଦେଇଯାଉଥିବା ବାଇକ୍, ଅଟୋ ଓ ଟ୍ରାକ୍ଟର ଜରୁରୀକାଳୀନ ସେବାରୁ ବଞ୍ଚିତ ହୋଇଥିବାବେଳେ ପୋଲର ଗୋଟିଏ ପାଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ କେତେବେଳେ ଭୁଷୁଡ଼ି ପଡ଼ିବ ଠିକ୍ ନାହିଁ । ଦୀର୍ଘ ଦିନରୁ ଏହି ପୋଲ ବିପଦ ସଂକୁଳ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କାହାର ଏଥିପ୍ରତି ଦୃଷ୍ଟି ନାହିଁ ବୋଲି କହିଛନ୍ତି । ଏହି ରାସ୍ତା ଉପରେ ଭରସା କରୁଥିବା ୫୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ନୂତନ ପୋଲ ନିର୍ମାଣ ନିମନ୍ତେ ଦାବୀ କରିଛନ୍ତି । ଏହି ପୋଲ ଉପରେ ଦୈନିକ ଯାତାୟାତ କରି ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟ ଯିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଏହି ଭାଙ୍ଗି ଯାଇଥିବା ପୋଲର ତୁରନ୍ତ ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଏସିଆ କହଁର ସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।