ବାଲିଗୁଡାରେ ସଂକୁଳସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା

ବାଲିଗୁଡା,ଏନ୍‌ଏନ୍‌ଏସ୍ : ଶିକ୍ଷା ବିକାଶ ସମିତି ଓଡ଼ିଶା ଯୋଜନା ଆଧାରରେ ସାରା ଓଡ଼ିଶାରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଂକୁଳର ଉଦଘାଟନୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି । ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡ଼େଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ଡା. ମଧୁସୂଦନ ମହାପାତ୍ର ଯୋଗଦେଇ ହିନ୍ଦୁ ଜୀବନ ଶୈଳୀରେ ଆଧ୍ୟାତ୍ମିକତା ଓ ବୈଜ୍ଞାନିକତା ଉପରେ ଏକ ତୁଳନାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ । ସଂକୁଳ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ତୁମୁଡ଼ିବନ୍ଧ ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଧଳ କାର୍ଯ୍ୟକ୍ରମ ସଂଯୋଜନା ସହ ପରିଚାଳନା କରିଥିଲେ । ପରିଚାଳନା ସମିତିର ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହସମ୍ପାଦକ ଦଣ୍ଡପାଣି ଭୂୟାଁ ଓ ସଦସ୍ୟା ମନୋରମା ମିଶ୍ର ଉପସ୍ଥିତ ଥିଲେ । ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବାଲିଗୁଡ଼ା ସମେତ ତୁମୁଡ଼ବନ୍ଧ, ରାଇକିଆ, ଦାରିଙ୍ଗବାଡ଼ି ଓ ସାରଙ୍ଗଡ଼ ଅଞ୍ଚଳରୁ ୫୦ରୁ ଊର୍‌ଦ୍ଧ୍ୱ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ଶେଷରେ ରାଇକିଆ ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।