ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓମଫେଡ ପକ୍ଷରୁ ସମ୍ବଲପୁର ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ଜରିଆରେ ଆଜି ଜିଲ୍ଲାରେ ପ୍ରଥମଥର ପାଇଁ ବାରକୋଟ ବ୍ଲକ ବଳମ ପଞ୍ଚାୟତରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବଳମ ହାଟପଦାରେ ନବ ନିର୍ମିତ ଦୁଗ୍ଧ ସଂଗ୍ରହ କୋଠାରେ ଏକ ହଜାର ଲିଟିର ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ଯନ୍ତ୍ର ସ୍ଥାପନ କରାଯାଇଥିବାବେଳେ ଆଜି ଏହାକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଫିତା କାଟି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓମଫେଡ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁ, ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ସତ୍ୟ ରଞ୍ଜନ ରାଉତ, ଓମଫେଡ ସହକାରୀ ପରିଚାଳକ ଡାକ୍ତର ସଞ୍ଜୀବ କୁମାର ଶତପଥୀ ଓ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଦୁଗ୍ଧ ଚାଷୀଙ୍କୁ ଉଦବୋଧନ ଦେଇଥିଲେ । ଉପସ୍ଥିତ ଅତିଥିବୃନ୍ଦ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ସରକାରଙ୍କ ଏହି ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିବା ସହ ପଞ୍ଜିକୃତ ଦୁଗ୍ଧ ଚାଷୀଙ୍କୁ ଓମଫେଡ ପକ୍ଷରୁ ଗୋଖାଦ୍ୟ, ଔଷଧ ଓ ଆଧୁନିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବା ନେଇ ସୂଚନା ଦେଇଥିଲେ । ସେହିପରି ଆଗାମୀ କିଛି ମାସ ମଧ୍ୟରେ ତିଳେଇବଣି ଓ ରିଆମାଳ ବ୍ଲକରେ ମଧ୍ୟ ଦୁଗ୍ଧ ଚାଷୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ କହିଛନ୍ତି । ଆଜି ଦୁଗ୍ଧ ଚାଷୀଙ୍କ ପାଇଁ ଉଦଘାଟିତ ଦୁଗ୍ଧ ଶୀତଳୀକରଣ ଓ ସଂଗ୍ରହ କେନ୍ଦ୍ର ଉଦଘାଟନ ଦିବସରେ ବଳମ, କଣ୍ଢଳ, ନୂଆଗାଁ ଓ ବସାଲୋଇ ଦୁଗ୍ଧ ସେବା ସମବାୟରେ ପଞ୍ଜିକୃତ ଚାଷୀ ଉତ୍ପାଦିତ କ୍ଷୀର ପ୍ରଦାନ କରିଥିଲେ । ଏହାସହ ସେମାନଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଦୁଗ୍ଧ ଚାଷୀ ସାଧୁବାଦ ଜଣାଇଛନ୍ତି ।