ସୁପ୍ରିମକୋର୍ଟ ଗଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଆସନ୍ତାକାଲି ତାଙ୍କ ଓକିଲ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଶୀଘ୍ର ଶୁଣାଣୀ କରିବାକୁ ଗୁହାରି କରିବେ । ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ଦାବୀ କରିଛନ୍ତି । ଏଥିରେ ଭିନେଶ ଫୋଗାଟଙ୍କ ସମେତ ମୋଟ ୭ଜଣ ଖେଳାଳୀ ପିଟିସନ ଦାୟର କରିଛନ୍ତି । ସେମାନେ ଏପ୍ରିଲ ୨୧ କନ୍ନୋଟ ପ୍ଲେସ ଥାନାରେ ଏଫଆଇଆର ଦାୟର କରିବା ପାଇଁ ଦୀର୍ଘ ସମୟ ବସିଥିଲେ ମଧ୍ୟ ପୁଲିସ ଏଫଆଇଆର ଗ୍ରହଣ କରିନଥିଲା ।

ସୂଚନାଯୋଗ୍ୟ, ଜଣାଶୁଣା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଚଳିତ ବର୍ଷ ଜାନୁଆରୀ ୧୮ରେ ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ବ୍ରିଜଭୂଷଣ ବିରୋଧରେ ଯୌନ ଉତ୍ପୀଡ଼ନର ଆରୋପ ଲଗାଇଥିଲେ । ଅନ୍ୟ କୁସ୍ତିଯୋଦ୍ଧା ମଧ୍ୟ ବ୍ରିଜଭୂଷଣଙ୍କ ନାଁରେ ଅଭିଯୋଗ କରିଥିଲେ ।