ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଃଶୁଳ୍କ ସିଟି ସ୍କାନ ସେବା ଆରମ୍ଭ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀକୁ ସରକାର ପୂରଣ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜିଠୁ ସିଟିସ୍କାନ ସେବା ନିଃଶୁଳ୍କରେ ଆରମ୍ଭ ହୋଇଛି । ପୂର୍ବାହ୍ନରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଫିତା କାଟି ସିଟି ସ୍କାନର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ସ୍ପନ୍ଦନ ଡାଇଗ୍ନୋଷ୍ଟିକ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ଏହା କାର୍ଯ୍ୟକାରୀ ହେବା ଦ୍ୱାରା ଜିଲ୍ଲାବାସୀ ବହୁଳ ଭାବେ ଉପକୃତ ହେବେ । ଏଥିପାଇଁ ଆଉ ପୂର୍ବଭଳି ଖର୍ଚ୍ଚାନ୍ତ ହୋଇ ଦୂରଦୁରାନ୍ତକୁ ଯିବାର ଆବଶ୍ୟକତା ରହିବ ନାହିଁ ବୋଲି ବହୁ ଜନସାଧାରଣ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସାଧନା ଦାସ ଓ ଡା. ମନୋରଞ୍ଜନ ସାମଲଙ୍କ ସମେତ ସିଟି ସ୍କାନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।